ବ୍ରହ୍ମପୁର,୧୩/୦୬(ହିମାଂଶୁ ଶେଖର ସାବତ):ଗତ ସାତ ଦିନ ଧରି ପୋଡ଼ି ହୋଇ ରାଜଧାନୀ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିବା ଓଏମଭିଡି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ଆଜି (ଶୁକ୍ରବାର) ମୃତ୍ୟୁ ଘଟିଛି । ମୃତ ଆଶୁତୋଷଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ଭାଗ ନିଆଁରେ ପୋଡ଼ି ହୋଇ ଯାଇଥିଲା । ଯାହାକୁ ନେଇ ପ୍ରଥମେ ତାଙ୍କୁ ବ୍ରହ୍ମପୁର ଏମକେସିଜି ଓ ପରେ ଅଧିକ ଚିକିତ୍ସା ପାଇଁ ରାଜଧାନୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଛନ୍ତି, କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ । ଅଭିଯୋଗ ଅନୁଯାୟୀ ଗତ ୫ ତାରିଖ ସନ୍ଧ୍ୟାରେ ଆଶୁତୋଷ ନିଜ ପୋଲିସ କନେଷ୍ଟବଳ ପତ୍ନୀ ସନ୍ଧ୍ୟା ନାୟକଙ୍କ ବ୍ରହ୍ମପୁର କ୍ୱାର୍ଟରକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ପତ୍ନୀ ସମେତ ଶଳା ମିଳିତ ଭାବେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏନେଇ ମୃତ୍ୟୁ ପୂର୍ବରୁ ଗୁରୁତ୍ତର ହୋଇଥିବା ଏମ୍.ଭି କନେଷ୍ଟବଳ ମୃତ୍ୟୁ କାଳୀନ ଜମାନ ବନ୍ଦୀରେ କହିଥିବା ବେଳେ ପୋଲିସ ଘଟଣାକୁ ନେଇ ବିଭିନ୍ନ ଦିହଗରୁ ତଦନ୍ତ କରୁଛି । ପୋଲିସ ମୁଖ୍ୟାଳୟର ଜଣେ ଡି.ଏସ୍.ପି ଘଟଣାର ତଦନ୍ତ କରୁଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ବର୍ତ୍ତମାନର ଘଟଣାରେ ମୃତକଙ୍କ ପତ୍ନୀ କନେଷ୍ଟବଳ ସଂଧ୍ୟା ନାୟକଙ୍କ ସମେତ ତାଙ୍କ ଭାଇଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଉଭୟଙ୍କ ମୋବାଇଲ୍ ଜବତ କରିବା ସହିତ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କୁ କିପରି କେଉଁ ପରିସ୍ଥିତିରେ ଦୁହେଁ ନିଆଁ ଲଗାଇଲେ ତାହାକୁ ନେଇ ଖୋଳତାଡ଼ ଜାରି ରଖିଛି । ତେବେ ଏହି ଘଟଣା ପୂର୍ବରୁ ବ୍ରହ୍ମପୁର ମହିଳା ଥାନାରେ ରୁଜୁ ହୋଇଥିବା ମାମଲା ନେଇ ମଧ୍ୟ ପୋଲିସ ସେହି ଘଟଣା କ’ଣ ରହିଥିଲା, ତାହାରି ଉପରେ ମଧ୍ୟ ଅନୁଧ୍ୟାନ କରାଯାଉଥିବା କୁହାଯାଇଛି । ତଦନ୍ତ ପରେ ପୋଲିସ କ’ଣ ପଦକ୍ଷେପ ନେଉଛି, ତାହାରି ଉପରେ ରହିଛି ସମସ୍ତଙ୍କ ନଜର ।ତେଵେ ସୂଚନା ପ୍ରକାରେ,ଗତ ୫ ତାରିଖ ସନ୍ଧ୍ୟାରେ ଆଶୁତୋଷ, ପତ୍ନୀ ସନ୍ଧ୍ୟା ନାୟକଙ୍କ ବ୍ରହ୍ମପୁର ବିଜିପୁର ସ୍ଥିତ ପୋଲିସ କ୍ୱାର୍ଟରକୁ ଯାଇଥିବା ବେଳେ ହଠାତ୍ ନିଆଁ ଲାଗି ଜଳି ଯାଇଥିଲେ । ତେବେ ପାରିବାରିକ କଳହରୁ ପତ୍ନୀ ସନ୍ଧ୍ୟା ଓ ଶାଳକ ନିଆଁ ଲଗାଇ ଦେଇଥିଲେ ବୋଲି ଏକ ଭିଡିଓ ବାର୍ତ୍ତା ଯୋଗେ ଅଭିଯୋଗ କରିଥିଲେ ଆଶୁତୋଷ । ହେଲେ ସରକକାରୀ କ୍ୱାର୍ଟରରେ ନିଆଁ କେମିତି ଲାଗିଲା, କିଏ ଲଗେଇଲା, ସନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ଅଭିଯୋଗ ଆଣିଥିବା ଏମ୍.ଭି କନେଷ୍ଟବଲଙ୍କ ପତ୍ନୀ ସନ୍ଧ୍ୟା ନାୟକ ଓ ତାଙ୍କ ଭାଇ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଏହାପରେ ଗଣମାଧ୍ୟମରେ ପତ୍ନୀ ସନ୍ଧ୍ୟା ନାୟକ, ସ୍ୱାମୀ ଆଶୁତୋଷଙ୍କୁ ମାଡ଼ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ କିଛି ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ମୃତ୍ୟୁ ପୂର୍ବରୁ ଗୁରୁତ୍ତର ଅବସ୍ଥାରେ ଚିକିତ୍ସାଧିନ କନେଷ୍ଟବଳଙ୍କ ପରିବାର ମଧ୍ୟ ସନ୍ଧ୍ୟା ନାୟକ ଓ ଶାଳକ ହିଁ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିବା ସହିତ କିପରି ବିବାହ ପରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ରହିଥିଲା ଏବଂ ଏହାକୁ ନେଇ କୋରାପୁଟ ଠାରୁ ଆରମ୍ଭ କରି ବ୍ରହ୍ମପୁର ମହିଳା ଥାନା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇଥିବା କହିଛନ୍ତି ।ସେପଟେ ଏହି ମାମଲାର ଅଧିକ ତଦନ୍ତ ଓ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ଆବଶ୍ୟକ ହେଲେ ପୋଲିସ ପକ୍ଷରୁ ମୃତକଙ୍କ ପତ୍ନୀ ଏବଂ ଶଳାଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବା ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ପି । ଏପରିକି ଘଟଣା ଘଟିଥିବା ସ୍ଥାନରେ ଚାରିଟି କ୍ୱାର୍ଟର ରହିଥିବା ଯୋଗୁଁ ସେଠାରେ ରହିଥିବା ପରିବାର ବର୍ଗ ଏହି ଘଟଣା ଦିନ କଣ ଦେଖିଥିଲେ, ତାହାକୁ ମଧ୍ୟ ପଚାରାଉଚରା କରାଯାଇଥିବା ଏସପି କହିଛନ୍ତି । ଏପରିକି ଘଟଣା ପରେ ପୋଲିସର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳର କ୍ୱାର୍ଟରରେ ପହଞ୍ଚି ଦରପୋଡା ବୋତଲ, ଦିଆସିଲି, ଆଶୁତୋଷଙ୍କ ମୋଟର ସାଇକେଲ ଏବଂ ତିନି ଜଣଙ୍କ ମୋବାଇଲ ଜବତ କରିଥିଲା । ଏଣୁ ଏହି ସମସ୍ତ ଦିଗକୁ ନେଇ ପୋଲିସ ଅନୁଧ୍ୟାନ କରୁଥିବା କହିଛନ୍ତି, ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ୍ ।ବର୍ତ୍ତମାନ ମୃତ ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ରାଣୀ ଙ୍କୁ ଗିରଫ ଦାବି ନେଇ ଏମଭି କନେଷ୍ଟବଲ ଆଶୁତୋଷ ଙ୍କ ମୃତ ଦେହ ରଖି ପାଣ୍ଡବ ନଗର ଠାରେ ପରିବାର ବର୍ଗ ଏବଂ ଅଞ୍ଚଳବାସୀ ମିଳିତ ଭାବେ ପ୍ରତିବାଦ କରୁଛନ୍ତି l ରାସ୍ତା ଉପରେ ଟାୟାର ଜାଳି ଅଞ୍ଚଳ ବାସୀ ନ୍ୟାୟ ଭିକ୍ଷା କରିଥିବା ବେଳେ ପୁଅ ପାଇଁ ନ୍ୟାୟ ଭିକ୍ଷା କରୁଛି ମୃତ ଆଶୁତୋଷ’ଙ୍କ ମା’ l ଦେଖାଯାଉ ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସୁଛି ନା ଘଟଣାକୁ ଚପାଇ ଦିଆଯାଉଛି l

