କନ୍ଧମାଳ,ଖଜୁରୀପଡ଼ା,୧୨।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର କଂଗ୍ରେସ ସଂଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ୪ ଜଣ କଂଗ୍ରେସ କର୍ମକର୍ତ୍ତାଙ୍କ ବିରୋଧରେ ପୂର୍ବରୁ ଜାରି ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି। ଏ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି।ପ୍ରେସ ବିଜ୍ଞପ୍ତି ଅନୁଯାୟୀ, କନ୍ଧମାଳ ଜିଲ୍ଲାର ବଳଦେବ ବେହେରା, ଶେଖ ଅବଦୁଲ ସକିର, ଶିବଶଙ୍କର ବେହେରା ଓ ଗୌରଚରଣ ବେହେରାଙ୍କ ବିରୋଧରେ ନିଆଯାଇଥିବା ନିଲମ୍ବନ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାର ବବି ଅନନ୍ତ ନାଗ ରଥଙ୍କ ନିଲମ୍ବନ ଆଦେଶ ମଧ୍ୟ ପ୍ରତ୍ୟାହାର କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସୁଜତ କୁମାର ପାଢ଼ୀଙ୍କ ସ୍ୱାକ୍ଷରରେ ଏହି ବିଜ୍ଞପ୍ତି ଜାରି ହୋଇଛି।ଏହି ନିଷ୍ପତ୍ତି ପରେ କନ୍ଧମାଳ ଜିଲ୍ଲାର କଂଗ୍ରେସ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସମ୍ପୃକ୍ତ କର୍ମକର୍ତ୍ତାମାନେ ପୁଣି ଦଳୀୟ କାର୍ଯ୍ୟକଳାପରେ କେତେ ସକ୍ରିୟ ହେବେ ଏବଂ ଏହା ଜିଲ୍ଲାରେ କଂଗ୍ରେସ ସଂଗଠନକୁ କେତେ ମଜଭୁତ କରିବ, ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଛି।

