ବେଗୁନିଆପଡ଼ା,୧୨।୧୦(ବାପୁନି ମାଲୁ):ଭିତ୍ତିପ୍ରସ୍ତର ସ୍ଥାପନକୁ ଇତିମଧ୍ୟରେ ୯ ମାସ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ନିର୍ମାଣ କାର୍ଯ୍ୟ। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୁମାରୀପାରିଠାରେ ପ୍ରସ୍ତାବିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ୦୯ ଜାନୁଆରୀ ୨୦୨୬ରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନିର୍ମାଣ କାର୍ଯ୍ୟ ପାଇଁ ଫଳକରେ ୪୩ ଲକ୍ଷ ୨୧ ହଜାର ୭୧୮ ଟଙ୍କା ବ୍ୟୟ ଅଟକଳ ଉଲ୍ଲେଖ ରହିଛି। ତେବେ ଭିତ୍ତିପ୍ରସ୍ତର ସ୍ଥାପନର ଏତେ ଦିନ ପରେ ମଧ୍ୟ କାମ ଆରମ୍ଭ ନହେବା ଅଞ୍ଚଳବାସୀଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି କରିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ନିକଟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଆବଶ୍ୟକତା ରହିଛି। ଏଥିପାଇଁ ଅର୍ଥ ଧାର୍ଯ୍ୟ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ କାହିଁକି ଆଗେଇ ପାରୁନାହିଁ, ତାହା ଏବେ ମୁଖ୍ୟ ପ୍ରଶ୍ନ। କେବଳ ଭିତ୍ତିପ୍ରସ୍ତର ସ୍ଥାପନରେ ସୀମିତ ରହିବ କି ସ୍ୱାସ୍ଥ୍ୟ ଉପକେନ୍ଦ୍ର? ଧାର୍ଯ୍ୟ ହୋଇଥିବା ଅର୍ଥରେ କେବେ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ? କେତେ ଦିନ ମଧ୍ୟରେ ଲୋକେ ପାଇବେ ସ୍ୱାସ୍ଥ୍ୟସେବା? ଏନେଇ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଉତ୍ତର ଦେବା ସହ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି ହେଉଛି।

