ଭଞ୍ଜନଗର,୨୮।୯(ନିଲୁ ବିଷୋୟୀ):କଳିଙ୍ଗା ଘାଟିରେ ଭୂସ୍ଖଳନ,ପଥର ଖସିବା ଯୋଗୁଁ ଗତ ୨୩ ତାରିଖରୁ ଏଥିରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ବିଭିନ୍ନ ଯାନବାହନ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ଏହି ଘାଟିକୁ ନେଇ ଜୀବନ ଜୀବିକା ନିର୍ବାହ କରୁଥିବା ଦୁର୍ଗାପ୍ରସାଦ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି। ତେଣୁ ଘାଟି ନିର୍ମାଣ କାର୍ଯ୍ୟରେ ଅଭିଜ୍ଞ ଠିକାଦାରଙ୍କୁ ସାମିଲ କରି ସ୍ଥାୟୀ ସମସ୍ୟା ସମାଧାନ ପାଇଁ ଦୁର୍ଗାପ୍ରସାଦ ଗ୍ରାମବାସୀ ଦାବି କରିଛନ୍ତି। ସୋମବାର ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମର ଅଧିକାଂଶ ବ୍ୟକ୍ତି ହୋଟେଲ ତଥା ଅନ୍ୟାନ୍ୟ ଦୋକାନ କରିଛନ୍ତି। ଯାହାକି ଘାଟିରେ ଯାତାୟାତ କରୁଥିବା ବ୍ୟବସାୟୀଙ୍କ ଉପରେ ନିର୍ଭର। ଗତବର୍ଷ ଘାଟିରେ ଭୂସ୍ଖଳନ ଯୋଗୁ ପ୍ରାୟ ଦୁଇମାସ ଘାଟି ରାସ୍ତା ବନ୍ଦ ଥିଲା। ସେମାନଙ୍କୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିଥିଲା। ସେହି ସମୟରେ ଏହାର ସ୍ଥାୟୀ ସମାଧାନ ପାଇଁ ଏଭଳି ସମସ୍ୟା ପାଇଁ ଗୁରୁତ୍ୱ ଦିଆଯାଇନଥିଲା। ଦାୟିତ୍ୱବାନ ଠିକାଦାରଙ୍କୁ ନେଇ ଯଦି ରାସ୍ତା କାମ କରାଯାଇଥାନ୍ତା ଆଉ ସବୁ ବିପଦସଂକୁଳ ପଥର ହଟାଯାଇ ଥିଲେ ଏବେ ଏଭଳି ହୋଇନଥାନ୍ତା। ତେଣୁ ଜାତୀୟ ରାଜପଥ କାର୍ଯ୍ୟରେ ଅଭିଜ୍ଞ ଥିବା ଠିକାଦାରକୁ ପଥର ହଟାଇବା ତଥା ରାସ୍ତା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଉନ୍ନତ ମାନର କାର୍ଯ୍ୟ କରି ତୁରନ୍ତ ଘାଟିରେ ଯାନବାହନ ଛାଡ଼ିବାକୁ ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଶ୍ରୀ ବେହେରା କହିଥିଲେ ଯେ,ପରିବହନ ମନ୍ତ୍ରୀ,ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ,ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ସମସ୍ୟା ପ୍ରଶାସନିକ ଟିମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ସେମାନଙ୍କ ଦାବି ଜଣାଇବେ ବୋଲି କହିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ସନ୍ୟାସୀ ସାହୁ,ଦିଲ୍ଲୀପ ଭୂୟାଁ, ଜ୍ୟୋତି ସ୍ୱାମୀ ସାହୁ,ବାସୁଦେବ ପ୍ରଧାନ,ଲଡୁ ବାବା ଭୂୟାଁ,ଉର୍ମିଳା ଦିଗାଲ, ସୁନନ୍ଦ ପ୍ରଧାନ,ତୁଳସୀ ଦିଗାଲଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ।

