ଚିକିଟି,୧୪/୦୫,(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ଆୟୋଜିତ ମାଁ ମୁକ୍ତାଦେବୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ମହା ଆଡମ୍ବର ଓ ଭକ୍ତିମୟ ପରିବେଶ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ଆଜି ଶେଷ ହୋଇଛି।ଯାତ୍ରାର ପ୍ରଥମ ଦିନରେ ଦେବୀଙ୍କୁ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମଣ୍ଡପକୁ ଆଣି ବିରାଜମାନ କରାଯାଇଥିଲା। ମଙ୍ଗଳବାର ରାତ୍ରିରେ ମହାଆଳତି ସମର୍ପଣ ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପରେ ମାଁଙ୍କ ଗ୍ରାମ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ଭକ୍ତଙ୍କ ଗହଣରେ ମାଁଙ୍କ ପାଳକୀ ଗ୍ରାମ ପରିକ୍ରମା କରି ଭୋର ସମୟରେ ପୁନର୍ବାର ସ୍ଥାୟୀ ମନ୍ଦିରକୁ ଫେରିଥିଲା।ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ଗ୍ରାମର ଶୋଭା ସମଗ୍ର ଅଞ୍ଚଳକୁ ଉତ୍ସବମୁଖର କରିଥିଲା। ଭକ୍ତିଭାବ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ମାଁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।ସାତ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ପୌରାଣିକ କଥାବସ୍ତୁ ଆଧାରିତ ନାଟକ ‘ଭାରତ ଲୀଳା’, ‘ପ୍ରହଲ୍ଲାଦ ନାଟକ’, ‘ନବରଙ୍ଗ’ ଆଦି ମଞ୍ଚସ୍ଥ ହୋଇଥିଲା। ବରିଷ୍ଠ ନାଟ୍ୟକାର ସ୍ବର୍ଗତ ଦୁର୍ଗା ପ୍ରସାଦ ରାଉଳଙ୍କ ସ୍ମୃତିରେ କୃଷ୍ଣପୁରର ବର୍ଷିୟାନ କଳାକାରମାନଙ୍କୁ ନେଇ ସ୍ଵପ୍ନେଶ୍ଵର ପ୍ରଧାନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ‘ଅଲକ୍ଷଣୀ’ ଓ ‘ଦରିଆକୂଳରେ ଦରଦୀ ବନ୍ଧୁ’ ନାଟକ ମଞ୍ଚସ୍ଥ ହୋଇଥିଲା।ଏହି ନାଟକଗୁଡ଼ିକରେ କଳାକାର ବୁଲୁ ରାଉଳ , ମନୁ, ପ୍ରଦୀପ, ବାରିକ, ରବି, ପିଙ୍କୁ, ରାଜେଶ, ସାଗର, ସାଇ, ରୋହନ, ଅଲେଖ, ଚନ୍ଦନ, ଶିବ, କାହ୍ନା, ସୋମା, ବିଦୁ, ସଞ୍ଜୁ, ଲକି ଓ ବାଳାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା।ଏହି ଅବସରରେ ସ୍ବର୍ଗତ ଦୁର୍ଗା ପ୍ରସାଦ ରାଉଳଙ୍କ ପତ୍ନୀ କନକ ମଞ୍ଜରୀ ରାଉଳ, ବରିଷ୍ଠ କଳାକାର କୃଷ୍ଣଚନ୍ଦ୍ର ପ୍ରଧାନ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରକାଶଚନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରେଲୱେ ଇନ୍ସପେକ୍ଟର କାଳୁ ସେଠୀଙ୍କୁ ସମ୍ମାନିତ କରାଯାଇଥିଲା।ଯାତ୍ରାର ଶେଷ ଦିବସରେ ମହାନ ପୌରାଣିକ ନାଟକ ‘ମହାଭାରତ’ ମଞ୍ଚସ୍ଥ ହୋଇଥିଲା। ଏହି ଅବସରରେ ଦୂରଦୂରାନ୍ତରୁ ବହୁ ବନ୍ଧୁବାନ୍ଧବ ଓ ଭକ୍ତମାନେ ଆସି ଗ୍ରାମରେ ରହି ଯାତ୍ରାର ଆନନ୍ଦ ଉପଭୋଗ କରିବା ସହ ମାଁଙ୍କ ଦର୍ଶନ କରିଥିଲେ।ଯାତ୍ରା ସମୟରେ ବିଭିନ୍ନ ସାଂସ୍କୃତିକ ବେଶ ଓ ପଟୁଆର ଭକ୍ତମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ଶେଷ ଦିବସରେ ମାଁଙ୍କ ବିଦାୟ ରଜନୀରେ ସାହିବାସିନ୍ଦାଙ୍କ ସମେତ ବାହାରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।ସମଗ୍ର କାର୍ଯ୍ୟକ୍ରମକୁ ଗ୍ରାମ୍ୟ ଯାତ୍ରା କମିଟି ସଭାପତି ଲକ୍ଷ୍ମୀକାନ୍ତ ପ୍ରଧାନ (କୁନା), ସମ୍ପାଦକ ସିମାଞ୍ଚଳ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ରାଉଳ ଓ ଗ୍ରାମବାସୀଙ୍କ ସହଯୋଗରେ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା।

