ଭଞ୍ଜନଗର,୨୮/୪:(ନିଲୁ ବିଷୋୟୀ):କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗରରେ ପବନ ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ ପବନ ଯୋଗୁଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ରକ୍ତକେନ୍ଦ୍ର ପରିସରରେ ଥିବା ଏକ ବିରାଟ ଆମ୍ବଗଛ ପଡ଼ିଯାଇଥିଲା। ଫଳରେ ମୁଖ୍ୟଫାଟକ ସାଙ୍ଗକୁ, ପାର୍କିଂ ସେଡ୍ ଓ ଆଇଲଭ୍ ଏସ୍ଡିଏଚ୍ ସୌନ୍ଦର୍ଯ୍ୟୀକରଣ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା। ଆଉ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ମଧ୍ୟାହ୍ନ ୨ଟାରୁ ବର୍ଷା ଲାଗି ରହିଥିବା ବେଳେ ଏହାକୁ ହଟାଇବାରେ ସମସ୍ୟା ଦେଖାଦେଇଥିଲା। ଦମକଳବାହିନୀ ପହଞ୍ଚି ଗଛକୁ କାଟି ହଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଛି। ସକାଳୁ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଥିବା ବେଳେ ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଥିଲା। ସେହିପରି କିଛି ସ୍ଥାନରେ ଛୋଟବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା।

