ବ୍ରହ୍ମପୁର,୧୦।୧୦(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ଦେଖା ଦେଉଥିବା ପୋକ ଓ ରୋଗର ସ୍ଥିତି ଅନୁଧ୍ୟାନ କରିବା ସହିତ ଚାଷୀମାନଙ୍କୁ ସମୟୋପଯୋଗୀ ପରାମର୍ଶ ପ୍ରଦାନ ଉଦ୍ଦେଶ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ – ୧ ଭଞ୍ଜନଗର, କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ – ୨, ଗୋଲନ୍ଥରା ର ବୈଜ୍ଞାନିକ ଓ କୃଷି ବିଭାଗର ଅଧିକାରୀମାନଙ୍କ ଦ୍ବାରା ମିଳିତ ଭାବେ ରୋଗ ପୋକ ସର୍ବେକ୍ଷଣ କରାଯାଇଛି। ଏହି ସର୍ବେକ୍ଷଣ ସମୟରେ ଟିମ୍ ପକ୍ଷରୁ ବିଭିନ୍ନ ଫସଲ ଜମି ପରିଦର୍ଶନ କରାଯାଇ ଫସଲର ସ୍ବାସ୍ଥ୍ୟ, ରୋଗ ଓ ରୋଗର ଉପସ୍ଥିତି, ଏହାର ତୀବ୍ରତା ଏବଂ ଚାଷୀମାନଙ୍କ ଦ୍ବାରା ଗ୍ରହଣ କରାଯାଉଥିବା ଫସଲ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଏଥିସହ ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରାଯାଇ କ୍ଷେତ୍ର ସ୍ତରୀୟ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ପୋକ ଓ ରୋଗର ସଠିକ୍ ଚିହ୍ନଟ ପରେ ହିଁ ଆବଶ୍ୟକୀୟ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସମନ୍ବିତ କୀଟ ପରିଚାଳନା (IPM) ପଦ୍ଧତି ଅବଲମ୍ବନ କରିବା, ନିୟମିତ ଭାବେ ଫସଲ ଜମି ନିରୀକ୍ଷଣ କରିବା ଏବଂ ଆର୍ଥିକ କ୍ଷତି ସୀମା ଅତିକ୍ରମ କଲେ ଆବଶ୍ୟକତା ଅନୁଯାୟୀ ଅନୁମୋଦିତ କୀଟନାଶକ ବ୍ୟବହାର କରିବାକୁ ଟିମ୍ ପକ୍ଷରୁ ସଚେତନ କରାଯାଇଥିଲା। କ୍ଷେତ୍ର ପରିଦର୍ଶନ ସମୟରେ ପ୍ରଭାବିତ ଗଛ ବା ଗଛର ଅଂଶ ଅପସାରଣ, ଜୈବିକ କୀଟନାଶକର ବ୍ୟବହାର, ଏବଂ ଆବଶ୍ୟକତା ଅନୁସାରେ ଅନୁମୋଦିତ କୀଟନାଶକର ଠିକ୍ ମାତ୍ରାରେ ପ୍ରୟୋଗ ସମ୍ପର୍କରେ ଚାଷୀମାନଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା। କୌଣସି ଅଞ୍ଚଳରେ ପୋକ ବା ରୋଗର ଅସ୍ବାଭାବିକ ବୃଦ୍ଧି ପରିଲକ୍ଷିତ ହେଲେ ତୁରନ୍ତ ନିକଟସ୍ଥ କୃଷି ଅଧିକାରୀ କିମ୍ବା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରିବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି।

