ଖଜୁରୀପଡ଼ା,୩/୧୧( ମନୋଜ କୁମାର ବେହେରା):ଶିଶୁମାନଙ୍କ ଅଧିକାରର ସୁରକ୍ଷା, ନିରାପଦ ଶୈଶବ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍ସା) ପକ୍ଷରୁ ଆରମ୍ଭ ହୋଇଥିବା ‘ସୁରକ୍ଷିତ ଶୈଶବ ଅଭିଯାନ’ ଖଜୁରୀପଡ଼ା ସଦମହକୁମା ସ୍ଥିତ ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ଶିଶୁମାନଙ୍କ ମୌଳିକ ଅଧିକାର, ସୁରକ୍ଷା, ସମ୍ମାନ ଓ ସାମାଜିକ ନ୍ୟାୟ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଶୁ ଶ୍ରମ, ବାଲ୍ୟବିବାହ, ଶିଶୁ ନିର୍ଯାତନା, ଶୋଷଣ ଓ ମାନବ ଚାଲାଣ ଭଳି ସାମାଜିକ ବ୍ୟାଧିର ନିରାକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ଶିଶୁଙ୍କର ସୁରକ୍ଷିତ ପରିବେଶରେ ବଞ୍ଚିବା, ଶିକ୍ଷା ଲାଭ କରିବା ଏବଂ ଭୟମୁକ୍ତ ପରିବେଶରେ ନିଜର ବାଲ୍ୟଜୀବନ ଅତିବାହିତ କରିବାର ମୌଳିକ ଅଧିକାର ରହିଛି ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ଅତିଥି ଭାବେ ସ୍ଥାୟୀ ଲୋକ ଅଦାଲତ, ଫୁଲବାଣୀର ଅଧ୍ୟକ୍ଷ ଶ୍ରୀ ଦୋଳଗୋବିନ୍ଦ ବାରିକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଆଇଏସ୍ଏ), ଫୁଲବାଣୀର ସମ୍ପାଦକ ଶ୍ରୀ ରାମକାନ୍ତ ମହାନ୍ତି, ଖଜୁରୀପଡ଼ା ବିଡିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନାର୍ସୁ କହଁର, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଅଜୟ କୁମାର ସାହୁ, ଉପସଭାପତି ଶ୍ରୀମତୀ ସବନମ କହଁର ଏବଂ କମିଟି ସଦସ୍ୟ ତଥା ଆଇନଜୀବୀ ଶ୍ରୀ ପୀତାମ୍ବର ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ସୁରକ୍ଷା ଓ ସର୍ବାଙ୍ଗୀନ ବିକାଶରେ ପରିବାର, ବିଦ୍ୟାଳୟ ଏବଂ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଉଲ୍ଲେଖ କରିଥିଲେ। ଶିଶୁମାନେ ଯେପରି କୌଣସି ପ୍ରକାର ଶୋଷଣ, ନିର୍ଯାତନା ଓ ଅନ୍ୟାୟର ଶିକାର ନ ହୁଅନ୍ତି, ସେଥିପ୍ରତି ସମସ୍ତେ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ। ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦିଗରେ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଅପରିହାର୍ଯ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ ଓ ଜାତିର ଅମୂଲ୍ୟ ସମ୍ପଦ। ସେମାନଙ୍କ ମୁହଁରେ ହସ ଫୁଟାଇବା ସହ ଏକ ସୁନ୍ଦର, ସୁରକ୍ଷିତ ଓ ଶୋଷଣମୁକ୍ତ ଶୈଶବ ଉପହାର ଦେବା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ଅତିଥିମାନେ ଆହ୍ୱାନ ଦେଇଥିଲେ। ଏଥିସହ ଶିଶୁମାନଙ୍କ ଉପରେ କୌଣସି ପ୍ରକାର ନିର୍ଯାତନା, ଶୋଷଣ କିମ୍ବା ବିପଦର ସୂଚନା ମିଳିଲେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ୧୦୯୮ରେ ଯୋଗାଯୋଗ କରିବାକୁ ଛାତ୍ରଛାତ୍ରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ‘ସୁରକ୍ଷିତ ଶୈଶବ ହିଁ ସୁନ୍ଦର ଭବିଷ୍ୟତ’ ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ସହ ଶିଶୁ ଅଧିକାରର ସୁରକ୍ଷା ଏବଂ ଶିଶୁମାନଙ୍କ ପାଇଁ ଏକ ନିରାପଦ ସମାଜ ଗଠନ ନିମନ୍ତେ ସାମୂହିକ ଉଦ୍ୟମର ଆହ୍ୱାନ ଦେଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

