ବ୍ରହ୍ମପୁର,୨୯/୪,(କୁମୁଦ ଚନ୍ଦ୍ର ବେହେରା): ରାସ୍ତାରେ ଗଲା ବେଳେ ବାସ୍ନାରେ ହିଁ ପେଟ ପୁରି ଯାଉଥିବ। ଜଳଖିଆ ଦୋକାନରୁ ଶୁଭୁଥିବ ‘ଭାଇନା.., ପୁରି, ଉପମା, ଘୁଗୁନି ଖାଇବ ନା…।’ ସେଇ ଡାକରୁ ଜାଣିଦେବେ ଆପଣ ଗଞ୍ଜାମ ସୀମାରେ ପଶିଲେଣି। ଏଠି ନିଦ ଭାଙ୍ଗେ ପୁରି-ଉପମା ଓ ଘୁଗୁନି ବାସ୍ନାରେ। ବ୍ରହ୍ମପୁର ସହର ରାସ୍ତାପାର୍ଶ୍ଵ ହୋଟେଲ, ଠେଲାରେ କେବଳ ପୁରି-ଉପମା ବେପାର ମାସିକ ହାରାହାରି କୋଟିଏ ଟଙ୍କାରୁ ଅଧିକ ବୋଲି କୁହନ୍ତି ବେପାରୀ। ଏବେ ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ପୁରି-ଉପମା ଦେଶ ବିଦେଶରେ ଆଦର ଲାଭ କଲାଣି। ହେଲେ ସରକାରଙ୍କ ନାକରେ ଏ ବାସ୍ନା ବାଜୁନି। ନା ଏହି ନିଆରା ଖାଦ୍ୟକୁ ଜିଆଇ ଟ୍ୟାଗ ମିଳୁଛି, ନା ସରକାରଙ୍କ ଖାଦ୍ୟ ମେନ୍ୟୁରେ ପୁରି-ଉପମା ପରଷା ଯାଉଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ତୀବ୍ର ହେଉଛି। ଠେଲା ହେଉ କି ହୋଟେଲ, କଢେଇରୁ ଅନବରତ ଛଣା ହୋଇ ବାହାରୁଥିବ ପୁରି। ପୁରି ଉପରେ ୨ ଚାମଚ ଉପମା ଏବଂ ତା’ ଉପରେ ଘୁଗୁନି, ବୁଟ, ଲଙ୍କାଠୁ ଟମାଟୋ ଚଟଣି, ଆଳୁକଷା ଦେଇ ଗ୍ରାହକଙ୍କୁ ପ୍ଲେଟ୍ ବଢେଇ ଦେଉଥିବେ। ଗଞ୍ଜାମର ଗାଁରୁ ସହର, ବ୍ରହ୍ମପୁର ମହାନଗରରେ ଲୋକ ରାସ୍ତା କଡ଼ରେ ବି ଆନନ୍ଦ ମନରେ ଏହାକୁ ଖାଆନ୍ତି। ସେମାନଙ୍କ ଲାଗି ଫାଇଭ ଷ୍ଟାର ହୋଟେଲର ସବୁଠୁ ଦାମୀ ମେନ୍ୟୁ ବି ପୁରି-ଉପମା ତଳେ। ଦକ୍ଷିଣ ଓଡ଼ିଶାରେ ପୁରି-ଉପମାର ଆଦର ବେଶ ଅଧିକ। ଭୁବନେଶ୍ୱର, ପୁରୀ, କଟକରୁ ଦିଲ୍ଲୀ, ମୁମ୍ବାଇ, ବିଶାଖାପାଟଣା, ପୁଣେ, ବେଙ୍ଗାଲୁରୁରେ ବି ପୁରି-ଉପମା ଷ୍ଟଲ୍ ଖୋଲିଛି। ଖାଦ୍ୟର ସହର ବ୍ରହ୍ମପୁରରେ ଶତାଧିକ ସ୍ଥଳରେ ସକାଳୁ ରାତି ଯାଏଁ ପୁରି-ଉପମା ମିଳେ। ପୁରି-ଉପମା ବେପାରରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୧୦ ହଜାରରୁ ଅଧିକ ପରିବାର ନିର୍ଭରଶୀଳ। ଚଟଣି ପ୍ରସ୍ତୁତକାରୀଙ୍କଠାରୁ ନେଇ ରୋଷେୟା, ସହାୟକ ସମସ୍ତେ ପରିବାର ଚଳାନ୍ତି। ଏମିତି ଅନେକ ଦୋକାନ ରହିଛି, ଯେଉଁଠି ଦିନକୁ ୫ ରୁ ୧୦ ହଜାର ଟଙ୍କା ପୁରି-ଉପମା ବେପାର ହୁଏ। ହେଲେ ଆଜି ପର୍ଯ୍ୟନ୍ତ ପୁରି-ଉପମାକୁ ସରକାରୀ ମୋହର କି ଜିଆଇ ମାନ୍ୟତା ପ୍ରଦାନ ଦାବି ନେଇ କେହି ଆଗକୁ ଆସୁନାହାନ୍ତି। ଦକ୍ଷିଣ ଓଡ଼ିଶାବାସୀଙ୍କ ନିତିଦିନିଆ ଜଳଖିଆ ପୁରି-ଉପମାକୁ ଜିଆଇ ମାନ୍ୟତା ଦେବାକୁ ଦାବି ହେଉଛି।

