ଛତ୍ରପୁର,୧୧/୦୬,(ଡ.କୁମୁଦ ଚନ୍ଦ୍ର ବେହେରା):ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ, ଗଞ୍ଜାମ ଜିଲ୍ଲା ପକ୍ଷରୁ ଛତ୍ରପୁରସ୍ଥିତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ହରିଶ ବି. ସି.ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା। ଏହି ଅବସରରେ ସାମ୍ବାଦିକତା, ସାମାଜିକ ସଚେତନତା, ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଗଣମାଧ୍ୟମ- ପୁଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘର ପ୍ରତିନିଧି ଦଳ ପକ୍ଷରୁ ଏସପି ଶ୍ରୀ ହରିଶ ବି. ସି.ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହ ତାଙ୍କର କାର୍ଯ୍ୟଦକ୍ଷତା, ଜନସାଧାରଣଙ୍କ ପ୍ରତି ସକାରାତ୍ମକ ଆଭିମୁଖ୍ୟ ଏବଂ ଜିଲ୍ଲାରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ ନେଉଥିବା ପଦକ୍ଷେପ ପାଇଁ ପ୍ରଶଂସା କରାଯାଇଥିଲା। ସେହିଭଳି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ, ଗଞ୍ଜାମ ଜିଲ୍ଲା ପକ୍ଷରୁ ଛତ୍ରପୁରସ୍ଥିତ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଗଞ୍ଜାମ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ବେହେରା ଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା । ଏହି ଅବସରରେ ସାଇବର ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଗଣମାଧ୍ୟମ ସଂଘର ପ୍ରତିନିଧି ଦଳ ପକ୍ଷରୁ ଶ୍ରୀ ବେହେରାଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ଏହି ସାକ୍ଷାତକାରରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ମୀରାବାଇ ଦେଓ, ଗଞ୍ଜାମ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ସୁବ୍ରତ କୁମାର ଦାଶ, ସମ୍ପାଦକ ବିନୋଦ କୁମାର ପଣ୍ଡା, ସହ-ସମ୍ପାଦକ ଜ୍ୟୋତିରଞ୍ଜନ ଗୌଡ଼ ଏବଂ ସଦସ୍ୟ ଲୋକନାଥ ମାହାନ୍ତି ଓ ଶେଫାଳି ପଟ୍ଟନାୟକ ଉପସ୍ଥିତ ରହିଥିଲେ। ପ୍ରତିନିଧି ଦଳ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟରତ ଡିଜିଟାଲ ମିଡିଆ ସାମ୍ବାଦିକମାନଙ୍କ ସମସ୍ୟା, ସାମ୍ବାଦିକ ସୁରକ୍ଷା, ଭୁଲ ଖବର ରୋକିବାରେ ଗଣମାଧ୍ୟମର ଭୂମିକା ଓ ସମାଜରେ ସଚେତନତା ସୃଷ୍ଟି ପାଇଁ ମିଳିତ ପ୍ରୟାସ ଉପରେ ଆଲୋଚନା କରାଯାଇଥିଲା । ଏସପି ଶ୍ରୀ ହରିଶ ବି. ସି. ଗଣମାଧ୍ୟମକୁ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମତ ପ୍ରକାଶ କରିବା ସହ ସଠିକ୍ ଓ ନିରପେକ୍ଷ ସମ୍ବାଦ ପରିବେଷଣ ମାଧ୍ୟମରେ ସମାଜରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାକୁ ଆହ୍ୱାନ କରିଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତକାର ଉଭୟ ପକ୍ଷ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମନ୍ୱୟକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଭବିଷ୍ୟତରେ ଜନସ୍ୱାର୍ଥ ଓ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମରେ ପରସ୍ପର ସହଯୋଗ ଜାରି ରଖିବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଗଠନମୂଳକ ପରିବେଶରେ ସମାପ୍ତ ହୋଇଥିଲା।

