ପୋଲସରା,୧/୮(ସୁଧାଂଶୁ ଶେଖର ସାହୁ):ପରିବାରର ଭରଣପୋଷଣ ପାଇଁ ସୁରଟକୁ କାମ କରିବାକୁ ଯାଇଥିଲେ। କିନ୍ତୁ ଜୀବନ୍ତ ଫେରିବା ପରିବର୍ତ୍ତେ ତାଙ୍କ ମୃତଦେହ ଘରକୁ ଆସିଲା। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ର ଜକର ଗ୍ରାମର ଯୁବକ ମୁନା ଗୌଡ଼ଙ୍କ ସୁରଟରେ କାମ କରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ପରିବାର ସହ ସମଗ୍ର ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି।ଜକର ଗ୍ରାମର ମୁନା ଗୌଡ଼ ସୁରଟର ଏକ ବେସରକାରୀ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଅଭିଯୋଗ ଅନୁସାରେ, କାମ କରୁଥିବା ସମୟରେ ସେ କମ୍ପାନୀର ଏକ ଉଚ୍ଚ ସ୍ଥାନରୁ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ପରିବାର ନିକଟରେ ପହଞ୍ଚିଥିଲା।ମୁନା ଗୌଡ଼ ପରିବାରର ଏକମାତ୍ର ରୋଜଗାର କରୁଥିବା ସଦସ୍ୟ ଥିଲେ। ତାଙ୍କ ଉପରେ ବୃଦ୍ଧ ବାପା-ମା’ ଓ ଦୁଇ ଭଉଣୀ ନିର୍ଭର କରୁଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ଗଭୀର ଦୁଃଖରେ ଭାଙ୍ଗିପଡ଼ିଛି ଏବଂ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛି।ଘଟଣା ବିଷୟରେ ଜାଣିବା ପରେ ପୋଲସରାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ। ସେ ସରକାରଙ୍କୁ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ।ଏହି ଘଟଣା ପୁଣିଥରେ ଦାଦନ ଶ୍ରମିକଙ୍କ ସୁରକ୍ଷା ଏବଂ ରାଜ୍ୟରେ ସ୍ଥାନୀୟ ସ୍ତରରେ ଅଧିକ କର୍ମସଂସ୍ଥାନ ସୃଷ୍ଟିର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।

