ଭଞ୍ଜନଗର,୭।୧୦(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଏବେ ହାତୀପଲ ବିକ୍ଷିପ୍ତ ଭାବେ ବୁଲୁଛନ୍ତି। ରାତି ହେଲେ ହାତୀପଲ ଜନବସତି ଆଡ଼କୁ ମୁହାଁଉଥିଲେ ମଧ୍ୟ ବନବିଭାଗ ସେମାନଙ୍କ ଗତିବିଧି ଠଉରାଇ ପାରୁନାହିଁ। ବରଂ ନିକଟବର୍ତୀ ଗାଁ ଗୁଡ଼ିକରେ ଜଙ୍ଗଲି ହାତୀ ନିଜ ଚିହ୍ନ ଛାଡ଼ି ଯାଉଛନ୍ତି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ଗଜରାଜ ପାଇଁ ମଧ୍ୟ ସଂକଟ ବଢ଼ି ଯାଇଛି। ପୂର୍ବରୁ ଥିବା ଚଲାପଥରେ ହାତୀ ଚଳାଚଳ ନକରି ବିକ୍ଷିପ୍ତ ଭାବେ ବିଚରଣ କରୁଥିବା ବେଳେ ମୁଜାଗଡ ବନାଞ୍ଚଳରେ ଗତ କିଛିଦିନ ହେଲା ୪୮ ଟିକିଆ ହାତୀପଲ ଦୌରାତ୍ମ୍ଯ ଖେଳାଉଛନ୍ତି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ଗ୍ରାମ ଆଖପାଖରେ ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଗତ ରାତିରେ ବ୍ରାହ୍ମଣପଦର ଗ୍ରାମ ଠାରୁ କିଛି ଦୂରରେ ଥିବା ଭୋକୁଲି ପାତ୍ରଙ୍କ ଗାଇ କୁହାଁରରେ ଥିବା ଅଶୋକ ଗୌଡ଼ ଙ୍କ ଏକ ଗାଈକୁ ହାତୀପଲ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି। ହାତୀପଲ ଗାଈ ଗୋଠ ଭିତରେ ପଶି ଗୋଟିଏ ଗାଈକୁ ଆକ୍ରମଣ କରି ମାରିବା ସହ ଆଉ ଏକ ବାଛୁରୀକୁ ଦାନ୍ତରେ ଭୁସି ଦେଇଥିବାରୁ ରକ୍ତାକ୍ତ ଅବସ୍ଥାରେ ସେ ଗୁରୁତର ଆହତ ହୋଇଛି। ଅନ୍ୟ ଗାଈ ବାଛୁରୀ ରଶି ଛିଣ୍ଡାଇ ଦୌଡ଼ି ପଳାଇଥିଲ।। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଣୀ ଚିକିତ୍ସକ ଆହତ ବାଛୁରୀର ଚିକିତ୍ସା କରିବା ସହ ମୃତ ଗାଈର ବ୍ୟବଚ୍ଛେଦ କରି ପୋତାଯାଇଛି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସହ ଭୟ ବୃଦ୍ଧି ପାଇଛି। ବର୍ତ୍ତମାନ ଧାନ ଅମଳ ସମୟ ପାଖେଇ ଆସୁଥିବାରୁ ତୁରନ୍ତ ହାତୀପଲଙ୍କୁ ଜଙ୍ଗଲ ଭିତକୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି। ତଦନ୍ତ ପରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ରେଞ୍ଜର ସରୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।

