ବୁଗୁଡ଼ା,୨୯।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବଢ଼ିଲା ବାଘୁଆ ଜଳଭଣ୍ଡାରର ଜଳସ୍ତର। ବିପଦ ସଙ୍କେତ ନିକଟରେ ପହଞ୍ଚିଲା ଜଳସ୍ତର।ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରର ସୁରକ୍ଷା ଓ ଜଳସ୍ତରର ବିପଦକୁ ଆଖି ଆଗରେ ରଖି ଜଳ ସେଚନ ବିଭାଗ ଜଳଭଣ୍ଡାରର ୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରି ବାଘୂଆ ନଦୀରେ ଛାଡିଛି। ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବା ବେଳେ ଅର୍ଣ୍ଣବ ପ୍ରଭାବରେ ତୁହାକୁ ତୁହା ବର୍ଷା ହେବା ଫଳରେ ବାଘୂଆ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିଲା। ଏହାକୁ ଆଖି ଆଗରେ ରଖି ବିପଦଜ୍ଜନକ ସ୍ଥିତିକୁ ଏଡ଼ାଇବା ପାଇଁ ଭଂଜନଗର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଂଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବାଘୂଆ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବଜୀବନ ମହାପାତ୍ରଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରର ୨ ଟି ସ୍ପିଲ୍ ୱେ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳକୁ ନିଷ୍କାସନ କରାଯାଇଥିଲା।ବର୍ତ୍ତମାନ ବାଘୁଆ ଜଳଭଣ୍ଡାରର ଜଳସ୍ତରର ଉଚ୍ଚତା ୧୧୩.୧୫ ମିଟର ଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୦୪ ଘନ ମିଟର ଜଳ ଜଳଭଣ୍ଡାରରେ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୨ ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୭୬ ଘନ ମିଟର ଜଳ ନିଷ୍କାସିତ ହେଉଛି।ଏଥିପାଇଁ ବିଭାଗୀୟ ପ୍ରଶାସନ ପକ୍ଷରୁ ପୂର୍ବରୁ ମାଇକ୍ ଯୋଗେ ସତର୍କ ସୂଚନା ଜାରି କରାଯାଇଥିଲା।ନଦୀକୁ କେହି ନଯିବା ସହ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ନଦୀକୁ ନଛାଡ଼ିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି। ତେବେ ବର୍ଷା ଓ ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ନଦୀକୂଳିଆ ଅଞ୍ଚଳର ଲୋକମାନେ ସତର୍କ ରହିବା ଜରୁରୀ।ବାଘୂଆ ଜଳଭଣ୍ଡାରରେ ବୁଗୁଡ଼ା ତହସିଲଦାର ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ବନ୍ୟାଜଳ ନିଷ୍କାସନ ପରେ ନଦୀର ଜଳସ୍ତର ଉପରେ ନଜର ରଖିବା ସହ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତୀ l

