ଭଞ୍ଜନଗର,୧୨।୧୦(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର ବାଇବାଲି ସଂରକ୍ଷିତ ଜଙ୍ଗଲରେ ଏକ ଗାଈକୁ କଲରାପତରିଆ ବାଘ ଟାଣି ନେଇ ଆକ୍ରମଣ କରି ମାରିଥିବା ଅଭିଯୋଗ ହୋଇଛି। ବାଇବାଲି ନିକଟ ଗୁନାକିଆ ଗ୍ରାମର ଶିଶିର ପ୍ରଧାନଙ୍କ ପତ୍ନୀ ଚନ୍ଦ୍ରିକା ପ୍ରଧାନ ଗାଈଗୋଠ ନେଇ ଫେରୁଥିବା ବେଳେ ଜଙ୍ଗଲ ନିକଟବର୍ତ୍ତୀ ଇଲାକାରେ ଏକ କଲରାପତରିଆ ବାଘ ଅତର୍କିତ ଭାବେ ଗାଈଟିକୁ ଟାଣି ନେଇଥିଲା। ଜଙ୍ଗଲ ଭିତରକୁ ନେବା ବେଳେ ରାସ୍ତାକଡ଼ରେ ଥିବା ଏକ ଗାତରେ ଗାଈଟି ପଡ଼ିଯିବାରୁ ଲମ୍ଫ ଦେଇ ତାକୁ ଆକ୍ରମଣ କରି ମାରିଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରିକା ସେଠାରେ ପହଞ୍ଚିବା ବେଳକୁ କଲରାପତରିଆ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା। ବନପାଳ ଟୁନା ମଲ୍ଲିକଙ୍କ ସୂଚନା ପାଇ ବନାଞ୍ଚଳ ଅଧିକାରୀ ସରୋଜ କୁମାର ମହାନ୍ତି ଏବଂ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗାଈର ଶବ ବ୍ୟବଚ୍ଛେଦ ପରେ ସେଠାରେ ପୋତି ଦିଆଯାଇଛି। କଲରାପତରିଆର ଗତିବିଧି ଠାବ କରିବାକୁ ୨ଟି ଟ୍ରାପ୍ କ୍ୟାମେରା ଖଞ୍ଜାଯାଇଥିବା ସହ ଆବଶ୍ୟକ ସହାୟତାରାଶି ମାଲିକଙ୍କୁ ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି। ତେବେ ସଂପ୍ରତି ବନ୍ୟଜନ୍ତୁଙ୍କ ଦୌରାତ୍ମ୍ୟ ପାଇଁ ଗୃହପାଳିତ ପଶୁଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ପାଞ୍ଚ ଦିନ ତଳେ ଜଗନ୍ନାଥପ୍ରସାଦ ବନାଞ୍ଚଳର ସମରବନ୍ଧ-ଗେରେଡ଼ା ନିକଟବର୍ତ୍ତୀ ଜଙ୍ଗଲ ଇଲାକାରେ ଥିବା ଏକ ଗାଈ ଗୁହାଳରୁ ଏକ ବାଛୁରୀକୁ କଲରାପତରିଆ ଟାଣି ନେଇ ମାରିଥିବା ଅଭିଯୋଗ ହୋଇଥିଲା। ସେହିପରି ଅଗଷ୍ଟ ମାସରେ ତାରସିଂ ବନାଞ୍ଚଳର ମାଣପୁର ଇଲାକାରେ ମଧ୍ୟ ସମାନ ଢଙ୍ଗରେ ଏକ ଗାଈକୁ କଲରାପତରିଆ ମାରିଥିବା ବେଳେ ଗତବର୍ଷ ଡିସେମ୍ବର ୫ ତାରିଖରେ ସିଧାପଦର ଗ୍ରାମ ନିକଟ ଜଙ୍ଗଲରେ ଏକ ବାଛୁରୀକୁ କଲରାପତରିଆ ଆକ୍ରମଣ କରି ଗଛ ଉପରକୁ ଟାଣିନେଇଥିଲା। ଗତବର୍ଷ ଜୁନ ୨୫ ତାରିଖରେ ମୁଜାଗଡ଼ ବନାଞ୍ଚଳର ଦରପଙ୍ଗିଆ ଗ୍ରାମ ନିକଟରେ ରହିଥିବା ଗୁହାଳରେ ଛେଳିକୁ ବାଘ ଆକ୍ରମଣ କରି ମାରିଥିବା ଏବଂ ଜୁଲାଇ ପହିଲା ରାତିରେ ନବଗୋଚ୍ଛା ଗ୍ରାମରେ ୨ଟି ଛେଳିକୁ ଆକ୍ରମଣ କରି ମାରିବା ସହ ଗୋଟିଏ ଛୁଆ ଛେଳିକୁ ନେଇ ଜଙ୍ଗଲ ଭିତରକୁ ପଳାଇଥିବା ଅଭିଯୋଗ ହୋଇଥିଲା।

