ବୁଗୁଡ଼ା, ୨୦/୪:(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଜଣୈକ ଯୁବକଙ୍କୁ ମିଳିତ ଆକ୍ରମଣ ଘଟଣାରେ ପୋଲିସ ୨ ଜଣ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ ଗୋଲିଆ ଗ୍ରାମର ସନ୍ନ୍ୟାସୀ ପୋଲେଇ (୨୪), ଜୟସେନ ଜେନା (୨୧) ଓ ରାଜା ଜେନା (୧୮) । ଆକ୍ରମଣରେ ଆହତ ହୋଇଥିବା ଯୁବକ ନାରାୟଣ ପ୍ରଧାନ(୨୫)ଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୧୭୩/ ୨୨ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତ ମେରୁ ସଂକ୍ରାନ୍ତି ଦିନ ଅପରାହ୍ନରେ ନାରାୟଣ ଗୋଲିଆ ଗାଁ ଛକରୁ ଘରକୁ ଯାଉଥିବା ବେଳେ ସାମନା ପଟୁ ସନ୍ୟାସୀ ବାଇକରେ ଆସି ଘଷି ହୋଇ ଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଥିଲା ଏବଂ ପର ମୁହୂର୍ତ୍ତରେ ଦୁଇ ନାବାଳକଙ୍କ ସମେତ ପାଞ୍ଚ ଜଣ ମିଳିତ ଭାବେ ନାରାୟଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ନାରାୟଣଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଗୁଡା ମେଡିକାଲରେ ପହଞ୍ଚି ଚିକିତ୍ସିତ ହୋଇଥିଲେ। ଏହି ମାମଲାର ତଦନ୍ତ ଦାୟିତ୍ୱରେ ଏସଆଇ ସୁମନ୍ତ କୁମାର ବେହେରା ରହିଥିବା ବେଳେ ଗିରଫ ନାବାଳକ ଦ୍ଵୟଙ୍କୁ ଛତ୍ରପୁର ଜୁଭେନାଇଲ କୋର୍ଟକୁ ପଠାଯାଇଥିବା ବେଳେ ଅନ୍ୟ ତିନି ସାବାଳକଙ୍କୁ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଥିବା ଜଣାଯାଇଛି।

