ବେଗୁନିଆପଡ଼ା,୨୪।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଚନ୍ଦନପୁର ଠାରେ ଏକ ଅଭାବନୀୟ ଘଟଣାକ୍ରମେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଚନ୍ଦନପୁର ଗ୍ରାମର ଗନ୍ତେଇ ପ୍ରଧାନ (65) l ପ୍ରାପ୍ତସୂଚନା ଅନୁଯାୟୀ ବୁଧବାର ମଧ୍ୟରାତ୍ର ପ୍ରାୟ 3 ଟା ବେଳେ ସେ ଗ୍ରାମର ପୁରୁଣାବନ୍ଧ ପୋଖରୀକୁ ଶୌଚ ହେବାପାଇଁ ଯାଇ ଗୋଡ଼ଖସି ବୁଡ଼ିଯାଇଥିଲେ l ଘରକୁ ଫେରିବା ବିଳମ୍ବ ଦେଖି ତାଙ୍କ ପୁଅ ଖୋଜିବାକୁ ଆସି ନପାଇ ଫେରିଯାଇଥିଲେ l ଗୁରୁବାର ପ୍ରାତଃରେ ମହିଳା ମାନେ ସ୍ନାନ କରୁଥିବା ବେଳେ ଏକ ଶବ ଭାସୁଥିବା ଦେଖିବାକୁ ପାଇଲେ l ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମରାଶରୀରକୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କଲାପରେ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି l ମୃତକଙ୍କ ସ୍ତ୍ରୀ,ଦୁଇପୁଅ ଓ ଜଣେ ଝିଅ ଅଛନ୍ତି l ଏପଟେ ବେଗୁନିଆପଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି l

