ଚିକିଟି,୦୧/୦୮(ନିଗମାନନ୍ଦ ପଣ୍ଡା):ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ବିଦ୍ୟାଳୟ ସ୍ତରରେ ଶୈକ୍ଷିକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଚିକିଟି ବ୍ଲକର ସମସ୍ତ ୧୨ଟି କ୍ଲଷ୍ଟରରେ ଦ୍ୱିତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ, ଡାଏଟ୍ ଖଲ୍ଲିକୋଟର ବ୍ଲକ ସଂଯୋଜିକା ବବିତା ସିଂ ନାୟକଙ୍କ ସମେତ ସମସ୍ତ ଏବିଇଓ ବିଭିନ୍ନ କ୍ଲଷ୍ଟର ପରିଦର୍ଶନ କରି ବୈଠକର ତଦାରଖ କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।ଗିରିସୋଲା କ୍ଲଷ୍ଟର ଅନ୍ତର୍ଗତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସିଆରସିସି ବି ଭେଙ୍କେଟ ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଦ୍ୟାଳୟ ପରିଦର୍ଶନର ସମୀକ୍ଷା, ପୂର୍ବ ବୈଠକର କାର୍ଯ୍ୟକାରିତା, ଏଫଏଲଏନ୍ ଶ୍ରେଣୀ ପରିଚାଳନା, ଜିଲ୍ଲାଭିତ୍ତିକ ଶୈକ୍ଷିକ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଶ୍ରେଣୀ ପରିଚାଳନା ଏବଂ ଗ୍ୟାଲେରୀ କାର୍ଯ୍ୟ ସମ୍ପର୍କରେ ଫଳପ୍ରଦ ଆଲୋଚନା କରାଯାଇଥିଲା।ବିଇଓ, ଜିଲ୍ଲା ସ୍ତରୀୟ ପର୍ଯ୍ୟବେକ୍ଷକଙ୍କ ସମେତ ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ରେଡ୍ଡୀ ବୈଠକରେ ଉପସ୍ଥିତ ରହି ଶିକ୍ଷାର ଗୁଣାତ୍ମକ ବିକାଶ, ଶ୍ରେଣୀଗୃହ ଶିକ୍ଷଣର ଉନ୍ନତି ଏବଂ ଏଫଏଲଏନ୍ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଏଫଏଲଏନ୍ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ସେହିପରି ବଡ଼ପଲଙ୍କ କ୍ଲଷ୍ଟରରେ ସିଆରସିସି ଅମର କୁମାର ସାହୁ, ଝାଟିପଦର କ୍ଲଷ୍ଟରରେ ଏ ଦମୟନ୍ତୀ, ପତିଗୋବିନ୍ଦପୁର କ୍ଲଷ୍ଟରରେ ଏନ ଆପନ୍ନା, କଳବାଡ଼ କ୍ଲଷ୍ଟରରେ ସୁଜିତ କୁମାର ପାଢ଼ୀ ବୈଠକ ପରିଚାଳନା କରିଥିବା ବେଳେ ଏବିଇଓ ତ୍ରିନାଥ ମଲ୍ଲିକ ଓ ନାୟକ ସେଠି ଶିବିର ପରିଦର୍ଶନ କରିଥିଲେ। ସେହିପରି ସୁନାପୁର କ୍ଲଷ୍ଟର ବୈଠକକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର ଅଚାନକ ପରିଦର୍ଶନ କରିଥିଲେ।

