ବୋଲଗଡ଼,୨୫/୭(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସାଗରଗୁଆଁ ପଞ୍ଚାୟତ ଅନ୍ତର୍ଗତ ଜରିପଡା ପୋଡ଼ପାଟଣା ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ ବର୍ଷାପାଣି ଓ କାଦୁଅ ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଫଳରେ ଛାତ୍ରଛାତ୍ରୀ ଓ ୫ଖଣ୍ଡ ଗ୍ରାମବାସୀମାନେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଗ୍ରାମ ଭିତରକୁ ଥିବା ସିମେଣ୍ଟ କଂକ୍ରିଟ୍ ରାସ୍ତାରେ ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଖାଲୁଆ ରହିଛି। ଫଳରେ ଉକ୍ତ ଅଞ୍ଚଳରେ ବିଦ୍ୟାଳୟ ଫାଟକ ପର୍ଯ୍ୟନ୍ତ ବର୍ଷା ଓ ଦୁର୍ଷିତ ଜଳ ଜମି ରହୁଛି। ଦୀର୍ଘ ଦିନ ରାସ୍ତାରେ ପଙ୍କ, କାଦୁଅରେ ଭର୍ତ୍ତି ହେବା ସହିତ ଦୁର୍ଗନ୍ଧ ବାହାରୁଛି। ବର୍ଷା ଓ ଦୁର୍ଷିତ ଜଳ ନିଷ୍କାସନ ପାଇଁ ଡ୍ରେନ ନ ଥିବାରୁ ଓ ରାସ୍ତାଟି ଖାଲୁଆ ରହୁଥୁବାରୁ ପାଣି ରାସ୍ତା ମଧ୍ୟଭାଗରେ ଦୀର୍ଘଦିନ ପର୍ଯ୍ୟନ୍ତ ଜମି ରହୁଛି। ବୋଲଗଡ଼ ଗ୍ରାମ୍ୟ ଉର୍ନୟନ ବିଭାଗ ଅଧୀନରେ ରହୁଥିବା ଏହି ରାସ୍ତାଟି ମରାମତି ହୋଇନାହିଁ। ଲୋକେ ପ୍ରତିଦିନ ସାହିରୁ ଏହି କର୍ଦମାକ୍ତ ଏବଂ ଜଳ ଜମି ରହୁଥିବା ରାସ୍ତାରେ ଆସି ଯାତାୟାତ କରନ୍ତି। ସର୍ବୋପରି ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସମେତ ପୋଡ଼ ପାଟଣା,ପାଟବନ୍ଧ, ବେଣାଗାଡ଼ିଆ ଓ ଗୋଡ଼ିଆଳି ଆଦି ଗ୍ରାମରୁ ଚାଳିଶ ହଜାରରୁ ଉର୍ଦ୍ଧ ଲୋକମାନଙ୍କ ଏହା ନିତିଦିନିଆ ରାସ୍ତା | ହେଲେ ରାସ୍ତାରେ ପାଣି ଜମି ରହିଥିବାରୁ ସମସ୍ତେ ହଇରାଣ ହେଉଛନ୍ତି l ବ୍ଳକ୍ ପ୍ରଶାସନ ତରଫରୁ ତୁରନ୍ତ ଏହି ରାସ୍ତା ମରାମତି ଓ ବର୍ଷାଜଳ ଓ ଦୁର୍ଷିତ ପଙ୍କ ଜଳକୁ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ସାଗରଗୁଆଁ ପଞ୍ଚାୟତବାସୀ ଦାବୀ କରିଛନ୍ତି ।

