ଭଞ୍ଜନଗର୨୦/୪,(ନିଲୁ ବିଷୋୟୀ): ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ଭଞ୍ଜନଗର ସ୍ଥିତ ବେଣାକୁନ୍ଦା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସର୍ବପ୍ରଥମେ ମାଟି ମାଆଙ୍କୁ ପୂଜାର୍ଚ୍ଚନା ସହ ହଳକରି ‘ଅଖିମୁଠି ଅନୁକୂଳ’ ଶୁଭାରମ୍ଭ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି କୃଷକମାନଙ୍କ ଚାଷ କାର୍ଯ୍ୟକୁ ଉତ୍ତମରୂପେ ଆଗକୁ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ‘ସିଏମ୍ କିଷାନ’ ସହାୟତା ରାଶି ଡି.ବି.ଟି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାର ୨୪୧୫୩୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪୮କୋଟି ୩୦ଲକ୍ଷ ୬୨ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି। ଜିଲ୍ଲାର ୨୨ ଟି ବ୍ଲକ୍ ର କୃଷକମାନେ ଏଥିରେ ସାମିଲ ଅଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ସୋରଡା ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ, ଜିଲ୍ଲାପାଳ କୀର୍ତ୍ତି ଭାସନ ଭି, ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନୀଳମାଧବ ପାତ୍ର, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର,ସ୍ଥାନୀୟ ବିଡ଼ିଓ ଭାରତୀ ଦେବୀ,ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥିମାନେ କୃଷକମାନଙ୍କୁ ପ୍ରଶଂସା ସହ କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିନିଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ଅଜୟ କୁମାର କର ଓ ସହାୟକ କୃଷି ଅଧିକାରୀ ଦିବ୍ୟା ହେନ୍ତା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା କୃଷି ଅଧିକାରୀ ବ୍ୟମୋକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗର ବ୍ଲକ କୃଷି ଅଧିକାରୀ ସଂଗ୍ରାମ କୁମାର ସେନାପତି ଏବଂ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

