ଫୁଲବାଣୀ,୨୧/୪: (ସୁନୀଲ ପଟ୍ଟନାୟକ):ସୋମବାର ସଂନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମହାନ କବି ତଥା ସଂସ୍କୃତ ବିଦ୍ୱାନ ଶ୍ରୀ ଶ୍ରୀ ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ, ଫୁଲବାଣୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀର ମାନ୍ୟବର ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ଜୟଦେବଙ୍କ ଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଅବଦାନ ସ୍ମରଣ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଦାଧର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଜିଲ୍ଲାପାଳ ମହୋଦୟ ନିଜର ଅଭିଭାଷଣରେ କବି ଜୟଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବ ନିମନ୍ତେ ସମସ୍ତଙ୍କୁ ପ୍ରେରଣ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ କବି ଜୟଦେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର କାର୍ଯ୍ୟକ୍ରମର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟର ପରିସମାପ୍ତି ପରେ କୋମଳ ଗାନ୍ଧାର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା ଓ ନଟରାଜ କଲା ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ଦୁଇଗୋଟି ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଶିକ୍ଷାବିତ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ ।

