ବ୍ରହ୍ମପୁର,୧୦/୬,(ହିମାଂଶୁ ଶେଖର ସାବତ):ଗୋସାଣୀନୂଆଗାଁ ଥାନା ଅନ୍ତର୍ଗତ ଏକ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ୩୧ ମେ ୨୦୨୬ ତାରିଖରେ ପାଟ୍ରୋଲିଂ ସମୟରେ ଏଏସଆଇ ରଞ୍ଜିତ କୁମାର ରାଉଳ ହିଲପାଟଣାସ୍ଥିତ ଗୀତା ଭବନ ପଛପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘରର ବାରଣ୍ଡାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳେ ମୃତଦେହର ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଚିହ୍ନ ଥିବା ସହ ନିକଟରେ ଏକ ସିମେଣ୍ଟ ଫୁଲକୁଣ୍ଡ ମିଳିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା।ତଦନ୍ତ କ୍ରମରେ ମୃତକଙ୍କ ପରିଚୟ ନୃସିଂହ ବେହେରା ବୋଲି ଜଣାପଡ଼ିଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୩୦ ମେ ରାତିରେ ଅଭିଯୁକ୍ତ ଜଗନ୍ନାଥ ବେହେରା (୩୩), ବାବାଜୀ ଟୋଟା ସାହି ନିବାସୀ, ଓ ମୃତକ ଏକାଠି କମାପଲ୍ଲୀର ଏକ କବାଡ଼ି ଦୋକାନକୁ ପୁରୁଣା ଲୁହା ରଡ଼ ବିକ୍ରି କରିବାକୁ ଯାଇଥିଲେ। ସେଠାରୁ ଫେରି ଉକ୍ତ ପରିତ୍ୟକ୍ତ ଘରରେ ରହିବା ସମୟରେ ବିକ୍ରି ଟଙ୍କା ବାଣ୍ଟିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ବଚସା ଉଗ୍ରରୂପ ନେବା ପରେ ଅଭିଯୁକ୍ତ ପ୍ରଥମେ ମୃତକଙ୍କୁ ମୁଥ ମାରିଥିଲେ। ମୃତକ ତଳେ ପଡ଼ିଯିବା ପରେ ନିକଟରେ ଥିବା ସିମେଣ୍ଟ ଫୁଲକୁଣ୍ଡ ଉଠାଇ ତାଙ୍କ ମୁଣ୍ଡକୁ ଆଘାତ କରିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ପୋଲିସ ଅଭିଯୁକ୍ତ ଜଗନ୍ନାଥ ବେହେରାଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ୍ ଅଦାଲତରେ ହାଜର କରାଯାଇ ଜେଲ ପଠାଯାଇଛି।ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ୬ଟି ଆପରାଧିକ ମାମଲା ରହିଛି। ଏଥିରେ ଚୋରି, ଘର ଭାଙ୍ଗି ଚୋରି, ହତ୍ୟା ଉଦ୍ୟମ ଓ ଅନ୍ୟାନ୍ୟ ସଙ୍ଗୀନ ଅପରାଧ ସମ୍ପୃକ୍ତ ମାମଲା ରହିଥିବା ପୋଲିସ କହିଛି l

