ବୁଗୁଡ଼ା,୦୩।୦୮(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଅଞ୍ଚଳରେ ବିଏସଏନଏଲ୍ (BSNL) ମୋବାଇଲ୍ ନେଟୱର୍କର ଦୁର୍ବଳ ସେବା ଯୋଗୁଁ ଉପଭୋକ୍ତାମାନେ ଦୀର୍ଘଦିନ ଧରି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳର କେତେକ ସ୍ଥାନରେ ନେଟୱର୍କ ମିଳୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆଦୌ ସିଗ୍ନାଲ୍ ମିଳୁନାହିଁ। ବିଶେଷକରି ଘର ଭିତରେ ନେଟୱର୍କ ନ ଥିବାରୁ ଗ୍ରାହକମାନେ ବହୁ ହଇରାଣ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଫୋନ୍ କଲ୍ କରିବା ପାଇଁ ଘର ବାହାରକୁ କିମ୍ବା ଉଚ୍ଚ ସ୍ଥାନକୁ ଯିବାକୁ ପଡ଼ୁଛି। ଅନେକ ସମୟରେ କଲ୍ ଲାଗୁନାହିଁ କିମ୍ବା କଥା ହେଉଥିବା ସମୟରେ କଲ୍ କଟିଯାଉଛି। ଏହାସହ ଇଣ୍ଟରନେଟ୍ ସେବା ମଧ୍ୟ ବାରମ୍ବାର ବ୍ୟାହତ ହେଉଥିବାରୁ ଅନଲାଇନ୍ କାର୍ଯ୍ୟ, ବ୍ୟାଙ୍କିଂ ଓ ଡିଜିଟାଲ୍ ପେମେଣ୍ଟ ପ୍ରଭାବିତ ହେଉଛି।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ନେଟୱର୍କ ସମସ୍ୟାର ସମାଧାନ ନ ହେବାରୁ କେତେକ ବିଏସଏନଏଲ୍ ଗ୍ରାହକ ଅନ୍ୟ ଟେଲିକମ୍ କମ୍ପାନୀକୁ ସିମ୍ ପୋର୍ଟ କରୁଥିବା ନଜରକୁ ଆସୁଛି। ଫଳରେ ବିଏସଏନଏଲ୍ ଗ୍ରାହକ ସଂଖ୍ୟା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଉଛି।ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏସଏନଏଲ୍ କର୍ତ୍ତୃପକ୍ଷ ତୁରନ୍ତ ନେଟୱର୍କ ବ୍ୟବସ୍ଥାର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

