ଖୋର୍ଦ୍ଧା,୧।୧୦(କେଦାର ନାଥ ସାହୁ):ଖୋରଧା ସହରରେ ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା ଏବଂ ରାବଣ ପୋଡ଼ି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡି ଜେ ବାଜା ଏବଂ ଲାଇଟ୍ କୁ ସମ୍ପୂର୍ଣ୍ଣ ନିଷେଧ କରିଛି ଜିଲ୍ଲା ପ୍ରଶାସନ l ଆଜି ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ପୌର ପରିଷଦ ଟାଉନ୍ ହଲ୍ ଠାରେ ଅନୁଷ୍ଠୀତ ପ୍ରସ୍ତୁତି ବୈଠକ ରେ ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା ଏବଂ ରାବଣ ପୋଡ଼ି ଉତ୍ସବ କୁ ପାରମ୍ପାରିକ ବାଜା ଓ ସୁପ୍ରିମ କୋର୍ଟର ନିୟମାନୁସାରେ ନିର୍ଦ୍ଧାରିତ ୬୦ ଡେସିବଲ୍ ମଧ୍ୟରେ ବଜାଇ ଖୋରଧାର ଏହି ଗଣ ପର୍ବ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ସମସ୍ତ ପୂଜା କମିଟି ଓ ଖୋରଧା ସହର ବାସୀଙ୍କ ସହଯୋଗ କାମନା କରିଛନ୍ତି l ବିଧାୟକ ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ଖୋରଧା ଆମର ପବିତ୍ର ପାଇକ ମାଟି l ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା ଏବଂ ରାବଣ ପୋଡ଼ି କୁ ସମସ୍ତ ପୂଜା କମିଟି ଗୁଡିକ ଶାନ୍ତି, ମୈତ୍ରୀ ସମ୍ପ୍ରତି ଓ ଭାଇଚାରା ସହ ବୈଠକରେ ଅନୁଷ୍ଠିତ ନିଷ୍ପତି ଅନୁଯାୟୀ ଜିଲ୍ଲା ପ୍ରଶାସନ କୁ ସହୋଜୋଗ କରି ପୂଜା ଓ ଭଶାଣିକୁ ସମାପନ କରିବାକୁ ସମସ୍ତ ପୂଜା କମିଟି ସଭାପତି, ସମ୍ପାଦକ ଏବଂ କର୍ମ କର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ l ଉପଜିଲ୍ଲାପାଳ, ଖୋରଧା ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିବରଣୀ ପାଠ କରିଥିଲେ l ଆସନ୍ତା ଅକ୍ଟୋବର ୧୭ ତାରିଖରେ ଷଷ୍ଠୀ ଏବଂ ୨୧ ତାରିଖରେ ଦଶମୀ ପଡୁଥିବାରୁ ଉକ୍ତ ସମୟରେ ମା ଙ୍କ ସମସ୍ତ ପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇ ଅକ୍ଟୋବର ୨୨ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ l ସେହି ପରି ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ୨୫ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ନଭେମ୍ବର ୧ ତାରିଖରେ ଭସାଣୀ ଅନୁଷ୍ଠିତ ହେବ l କେବଳ ଦୁର୍ଗା ପୂଜା ମାଛ ମାର୍କେଟ ତଳସାହି ଭସାଣୀ ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ l ସମସ୍ତ ପୂଜାରେ ଅଶ୍ଳିଳ ନୃତ୍ୟ, ଡି ଜେ ବାଦ୍ୟ କୁ ବ୍ୟାନ କରାଯାଇଛି l ସେହିପରି ବିଦ୍ୟୁତ୍ ସେବା, ପାନୀୟ ଜଳ ସେବା, ସ୍ଵାସ୍ଥ୍ୟ ସେବା ଏବଂ ଅଗ୍ନି ଶମ ଭଳି ଅତ୍ୟା ବସ୍ୟକ ସେବା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଦୁର୍ଗା ପୂଜା ନିମନ୍ତେ ମେଢ଼ କମିଟି ମାନଙ୍କୁ ସେବା ପ୍ରଦାନ ପାଈଁ ସିଙ୍ଗଲ ୱିଣ୍ଡୋ ୧୨ ଓ ୧୩ ଅକ୍ଟୋବର ରଖାଯାଇଛି ଏବଂ ଗଜଲକ୍ଷ୍ମୀ ପୂଜା ପାଇଁ ଅକ୍ଟୋବର ୨୨ ଓ ୨୩ ତାରିଖ ରଖା ଯାଇଛି l ଡି ଜେ ଗାଡ଼ି ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି l ଭସାଣୀ ଅପରାହ୍ନ ୫ ଘଟିକାରୁ ରାତ୍ର ୧୦ ଘଟିକା ମଧ୍ୟରେ ସାରିବାକୁ ସମସ୍ତ ପୂଜା କମିଟି କୁ ପରାମର୍ଶ ଦିଆଯାଇଛି l ଭସାଣୀ ଶୋଭା ଯାତ୍ରାରେ ଯିବାପାଇଁ ମେଢ଼ ଗୁଡ଼ିକ ଭସାଣୀ ପଡିଆରେ ପ୍ରଥମ ଆଗମନ କ୍ରମାନ୍ୱୟରେ ଭସାଣୀ ଶୋଭାଯାତ୍ରାରେ ଯିବା ପାଇଁ ପୋଲିସ୍ ପ୍ରଶାସନ ତରଫରୁ ଟିକେଟ ବ୍ୟବସ୍ଥା କରାଯାଇଛି l ମେଢ଼ ବିସର୍ଜନ ପାଇଁ ଅସ୍ଥାୟୀ ବିସର୍ଜନ ପୁଷ୍କରିଣୀ ନିର୍ମାଣ କରିବାକୁ ସ୍ଥିର ହୋଇଛି l ୧୪ ଓ ୧୫ ଅକ୍ଟୋବର ରେ ମେଢ ଯିବା ରାସ୍ତା ସଫା କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଶ୍ରେଷ୍ଠ ମେଢ଼ କମିଟି ଚୟନ ପାଇଁ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାହୀ ଅଧିକାରୀ, ତହସିଲଦାର, ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କୁ ନେଇ କମିଟି ଗଠନ କରାଯାଇଛି l ତ୍ୱରଣ ଗୁଡ଼ିକ ପାଞ୍ଚ ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତା କରିବାକୁ ସମସ୍ତ ମେଢ଼ କମିଟି ଙ୍କୁ ପରାମର୍ଶ ଦିଆଯାଇଛି l ଉଭୟ ଭସାଣୀ ଉପଲକ୍ଷେ ସହର ସମସ୍ତ ଦୋକାନ ବନ୍ଦ ରଖିବାକୁ ବଣିକ ସଂଘକୁ ପରାମର୍ଶ ଦିଆଯାଇଛି l ଟ୍ରାଫିକ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ କୁହା ଯାଇଛି l ଆଜିର ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରୀନିବାସ ମହାନ୍ତି, ଉପଖଣ୍ଡ ପୋଲିସ ଅଧିକାରୀ, ପୌର ପରିଶଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ବିଡ଼ିଓ, ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର, ବିଭାଷ ପାଣିଗ୍ରାହୀ, ଡେପୁଟୀ କଲେକ୍ଟର ରଞ୍ଜନ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ, ପୌର ପରିଷଦ, କାବେରୀ ମୁଦୁଲି,ଅତିରିକ୍ତ ତହସିଲଦାର, ପଙ୍କଜା ବାସିନୀ ଭଞ୍ଜ,ଏ ଡି ଏମ ଓ , ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସମସ୍ତ ମେଢ଼ କମିଟି କର୍ମ କର୍ତ୍ତା ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l

