ବ୍ରହ୍ମପୁର,୯/୫,(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ କନ୍ଧ ଖରିଡ଼ା ଗ୍ରାମରେ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଥିବା ଗର୍ଭବତୀ ମହିଳାଙ୍କୁ ନିଜର ତିନି ବର୍ଷର ଶିଶୁ ସମୁଖରେ ହାଣି ହତ୍ୟା କରାଯିବା ଘଟଣାକୁ ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ମୃତ ମହିଳାଙ୍କ ଶବକୁ ଅଦ୍ୟାବଧି ନେଇନାହାନ୍ତି ପରିବାର ବର୍ଗ । ଘଟଣା ପରେ ପୋଲିସ ଘଟଣା ସ୍ଥଳରୁ ଶବକୁ ଜବତ କରି ବ୍ରହ୍ମପୁର ଏମକେସିଜି ମେଡିକାଲର ଏଫ୍ଏମଟି ବିଭାଗରେ ଶବ ବ୍ୟବଚ୍ଛେଦ କରିଥିଲା । ତେବେ ଶବ ବ୍ୟବଚ୍ଛେଦ ହୋଇସାରିଥିଲେ ମଧ୍ୟ ଶବକୁ ନେବା ପାଇଁ କେହି ଆସିନଥିବା କୁହାଯାଇଛି । ସେପଟେ ମହିଳାଙ୍କ ଶବ ନିକଟରେ ବସି ରହିଥିବା ଶିଶୁକୁ ଉଦ୍ଧାର କରି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଉତ୍କଳ ବାଳାଶ୍ରମରେ ରଖାଯାଇଛି ।ତିନି ବର୍ଷର ଶିଶୁ କନ୍ୟା ସମୁଖରେ ନିଜର ନାର୍ଯ୍ୟ ଦାବୀ କରୁଥିବା ଗର୍ଭବତୀ ମା’ଙ୍କୁ ସର୍ବସମୁଖରେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟ ତଥା ଦେଶରେ ଚହଳ ସୃଷ୍ଟି କରିଛି । ହେଲେ ଉକ୍ତ ଘଟଣାରେ ମୃତଦେହକୁ ଘଟଣା ଘଟିବାର ୪ ଦିନ ବିତିଯିବାକୁ ବସିଥିଲେ ମଧ୍ୟ ଅଦ୍ୟାବଧି ମର ଶରୀରକୁ କେହି ନନେବା ଏବଂ ଏମକେସିଜି ମେଡିକାଲରେ ତାହା ପଡିରହିବା ଭଳି ଘଟଣା ସଭ୍ୟ ସମାଜ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ?ସୂଚନା ଅନୁଯାୟୀ,ଶବକୁ ନେବା ପାଇଁ ଦୁଇ ପକ୍ଷରୁ କେହି ଆଇନଗତ ଦାବିଦାର ଆସିନଥିବା ଯୋଗୁଁ ମହିଳାଙ୍କ ଶବକୁ ଏଫ୍ଏମଟି ବିଭାଗରେ ରଖାଯାଇଛି । ନିୟମ ଅନୁଯାୟୀ ଚିହ୍ନଟ ରହିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାୟ ୭୨ ଘଣ୍ଟା ପର୍ଯ୍ୟନ୍ତ ରଖିବାର ବ୍ୟବସ୍ଥା ରହିଥିବା ବେଳେ ଗତ ମଙ୍ଗଳବାର ଶବ ଆସିବା ପରେ ତାହାକୁ ବିଳମ୍ୱ ନକରି ତୁରନ୍ତ ବ୍ୟବଚ୍ଛେଦ କରାଯାଇଥିଲା । ଆଗାମୀ ସମୟରେ ଯଦି କେହି ଶବ ନେବାକୁ ଦାବୀଦାର ନଆସନ୍ତି ତାହା ହେଲେ ନିୟମ ଅନୁଯାୟୀ ପୋଲିସକୁ ଅବଗତ କରିବା ସହିତ ଏନେଇ ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ । ଯାହାକି ନିୟମ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ସ୍ବରୁପ ନିଗମ ପକ୍ଷରୁ ମୃତକଙ୍କ ଧର୍ମ ଅନୁଯାୟୀ ତାହାର ଶେଷକୃତ୍ୟ ସମ୍ପର୍ଣ୍ଣ କରିଥାନ୍ତି । ହେଲେ ଅଦ୍ୟାବଧି ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି, ମୃତକଙ୍କ ଆଇନଗତ ଦାବୀଦାର କେହି ଆସିବେ ବୋଲି ।ଅନ୍ୟପଟେ ଘଟଣାଦିନ ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଉଥିବା ସମୟରେ ଘଟଣାସ୍ଥଳରେ ହିଁ ବସି ରହିଥିବା ତିନି ବର୍ଷିୟା ଶିଶୁଟିକୁ ବ୍ରହ୍ମପୁର ସହରର ଉତ୍କଳ ବାଳାଶ୍ରମ ପରିସରରେ ରଖାଯାଇଛି । ଶିଶୁଟି ପ୍ରତି ମୁହର୍ତ୍ତରେ ନିଜର ମା’ଙ୍କୁ ଝୁରୁଥିବା ବେଳେ ବାଳାଶ୍ରମ ପରିସରରେ ଶିଶୁଟିକୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷଣରେ ରଖାଯିବାକୁ ଜିଲ୍ଲପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି l ଏପରିକି ଶିଶୁଟିର ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ତାର ଖାଇବା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଉଛି । ଏପରିକି କିଛି ସମସ୍ୟା ରହିଲେ ଅବଗତ କରାଯିବାକୁ କୁହାଯାଇଛି । ସେପଟେ ଶିଶୁଟି ନିଜ ସମୁଖରେ ଘଟଣାକୁ ଦେଖିଥିବା ଯୋଗୁଁ ଏଥିପ୍ରତି ତାର ମାନସିକ ଆଘାତ ନେଇ ସେଠାକାର କାଉନସିଲରମାନେ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବାକୁ କୁହାଯାଇଛି ।

