ଭଞ୍ଜନଗର,୧୮।୭(ନିଲୁ ବିଷୋୟୀ):ରଥଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବକର ମୃତଦେହ ଶନିବାର ଖେଟାପଲ୍ଲୀ ନିକଟ ବଡନଦୀରୁ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ କୁଲାଡ ପଞ୍ଚାୟତ କୃଷ୍ଣପଲ୍ଲୀ ଗ୍ରାମର ରାଧା ନାୟକଙ୍କ ପୁଅ ଗୋପାଳ ନାୟକ। ଶନିବାର ମୃତଦେହ ନଦୀରେ ଲାଗିଥିବା କିଛି ଲୋକ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାପରେ ସେମାନେ ଉଦ୍ଧାର କରିଥିଲେ। ସେଠାରୁ ମେଡିକାଲ ଅଣାଯାଇଥିବା ବେଳେ ତାରସିଂ ପୁଲିସ କେସ ନମ୍ବର ୧୫/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ଗୋପାଳ କୁଲାଡ ରଥଯାତ୍ରା ଦେଖିବାକୁ ସାଇକେଲ ଧରି ଘରୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ। ଏହାପରେ ଗୋପାଳ କୌଣସି ସନ୍ଧାନ ନମିଳିବାରୁ ପରିବାର ପକ୍ଷରୁ ତାରସିଂ ଥାନାରେ ଅଭିଯୋଗ କରିଥିଲେ। ନଦୀ ନିକଟରେ ଗୋପାଳର ପୋଷକ ମିଳଥିବା ବେଳେ ପାଣି ସୂଅରେ ସେ ଭାସି ଯାଇଥିବା ସନ୍ଦେହ କରି ଦମକଳ କେନ୍ଦ୍ର ସହାୟତାରେ ଖୋଜାଖୋଜି କରାଯାଇଥିଲା। ଏହି ସମୟରେ ଗୋପାଳର ସାଇକେଲ ମଧ୍ୟ ମିଳିଥିବା ବେଳେ ଆଜି ମଧ୍ୟାହ୍ନ ସମୟରେ ନଦୀ ଭିତରେ ଏକ ଲଟିରେ ତାର ମୃତଦେହ ଲାଗିଥିବା ଦେଖିବାକୁ ମିଳିଥିଲା।

