ବ୍ରହ୍ମପୁର,୨୧/୪:( ହିମାଂଶୁ ଶେଖର ସାବତ):“ନାରୀ ଶକ୍ତି ବନ୍ଦନ” ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହିଲପାଟଣା ସ୍ଥିତ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଲା। ଏଥିରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଯୋଗଦେଇ ବିରୋଧୀ ଦଳମାନଙ୍କୁ କଟାକ୍ଷ କରିଥିଲେ।ସେ କହିଥିଲେ, ସଂସଦରେ ଏପ୍ରିଲ ୧୬-୧୭ ତାରିଖରେ ମହିଳା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ବିରୋଧ କରି କଂଗ୍ରେସ ସହ ଅନ୍ୟାନ୍ୟ ବିରୋଧୀ ଦଳ ମହିଳାମାନଙ୍କ ସହ ବିଶ୍ୱାସଘାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତାନୁସାରେ, ନୀତି ନିର୍ଦ୍ଧାରଣରେ ମହିଳାଙ୍କ ଭାଗିଦାରୀ ସେମାନଙ୍କର ଅଧିକାର ବୋଲି ସେ ଉଲ୍ଲେଖ କରିଥିଲେ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମତ ଉଦ୍ଧୃତ କରି ସେ କହିଲେ, ସୀମା ନିର୍ଦ୍ଧାରଣ ଦ୍ୱାରା କୌଣସି ରାଜ୍ୟର କ୍ଷତି ହେବ ନାହିଁ ଏବଂ ପ୍ରତିନିଧିତ୍ୱ ସୁରକ୍ଷିତ ରହିବ।ବିଜେପି ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧ ଥିବା ବେଳେ, ବିରୋଧୀଙ୍କ “ମହିଳା-ବିରୋଧୀ ମନୋଭାବ”କୁ ଆଗାମୀ ନିର୍ବାଚନରେ ମହିଳାମାନେ ଯଥୋଚିତ ଜବାବ ଦେବେ ବୋଲି ସେ କହିଥିଲେ।ଏହି ସମ୍ମିଳନୀରେ ଦଳର ଅନେକ ସ୍ଥାନୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

