ପୋଲସରା,୧୮।୭(ସୁଧାଂଶୁ ଶେଖର ସାବତ):ଚଳିତ ବର୍ଷର ନିଟ୍ (NEET) ପରୀକ୍ଷାରେ ସଫଳତା ହାସଲ କରି ପୋଲସରା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଅମିତ କୁମାର ରଥ। ପ୍ରଥମ ଦୁଇଥର ବିଫଳ ହେବା ପରେ ମଧ୍ୟ ସେ ହାର ନମାନି ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ ତୃତୀୟ ପ୍ରୟାସରେ ଏହି ସଫଳତା ଅର୍ଜନ କରିଛନ୍ତି। ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମର ଶିକ୍ଷକ ଅଜିତ ରଥ ଓ ଅଙ୍ଗନବାଡ଼ି କର୍ମୀ ମିନତୀ ରାଣୀ ତ୍ରିପାଠୀଙ୍କ ସୁପୁତ୍ର ଅମିତ ନିଟ୍ ପରୀକ୍ଷାରେ ୫୭୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୨୩,୩୦୫ତମ ରାଙ୍କ ହାସଲ କରିଛନ୍ତି। ଡାକ୍ତରୀ ପାଠ ପଢ଼ିବା ଲକ୍ଷ୍ୟ ନେଇ ଅମିତ ପ୍ରତିଦିନ ୧୨ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ। ନିଜ ସଫଳତା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଡାକ୍ତରୀ ଶିକ୍ଷା ସମାପ୍ତ କରି ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ବିନାମୂଲ୍ୟରେ ଚିକିତ୍ସା ସେବା ଯୋଗାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ପିଲାବେଳୁ ହିଁ ଅମିତଙ୍କର ଡାକ୍ତର ହେବାର ସ୍ୱପ୍ନ ଥିଲା। ସେହି ଲକ୍ଷ୍ୟକୁ ସାମ୍ନାରେ ରଖି ସେ ନିଜକୁ ପ୍ରସ୍ତୁତ କରୁଥିବା ତାଙ୍କ ବାପା ଅଜିତ ରଥ ଓ ମା’ ମିନତୀ ରାଣୀ ତ୍ରିପାଠୀ କହିଛନ୍ତି। ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ଅମିତ ଜଣେ ମେଧାବୀ ଛାତ୍ର। ସେ ଦଶମ ଶ୍ରେଣୀରେ ୯୬ ପ୍ରତିଶତ ନମ୍ବର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ରୁ ଯୁକ୍ତ ଦୁଇ ବିଜ୍ଞାନରେ ୮୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଅମିତଙ୍କ ଏହି ସଫଳତା ତାଙ୍କର ନିଷ୍ଠା ଓ ପରିଶ୍ରମର ଫଳ ବୋଲି ସାଙ୍ଗସାଥୀମାନେ କହିଛନ୍ତି। ତାଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

