ଭଞ୍ଜନଗର,(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଫୁଲବାଣୀ ରାସ୍ତାର ମୁଜାଗଡ ଗ୍ରାମ ନିକଟରେ ମଙ୍ଗଳବାର ଭୋର ସମୟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଏକ ପିକଅପ୍ ଗାଡି ସହ କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ସମେତ ୩ ଜଣ ଗୁରୁତର ଆହାତ ହୋଇଛନ୍ତି। ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ ଥାନା ସୁବର୍ଣ୍ଣଗିରିର ଅମିତା ସିଂ(୩୩)। ଏଥିରେ ତାଙ୍କ ସ୍ବାମୀ ଆନନ୍ଦ ବରସେଠ୍ (୩୬) ତାଙ୍କ ପୁଅ ଅରନିକ ବରସେଠ୍ ଓ ଚାଳକ ଚନ୍ଦନ ମଲ୍ଲିକ ଗୁରୁତର ରହିଥିବାରୁ ବ୍ରହ୍ମପୁରରେ ଚିକିତ୍ସା ଜାରି ଚାଲିଛି। ସୂଚନା ଅନୁଯାୟୀ,ଆନନ୍ଦ କୋଟଗଡ ଠାରେ ଅଧ୍ୟାପକ ଭାବେ କାମ କରୁଥିବା ବେଳେ ନିଜର ପରିବାରକୁ ନେଇ ମେଡିକାଲ କାମରେ କଟକକୁ ଯାଇଥିଲେ। ସେଠାରୁ କାମ ସାରି ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ମଙ୍ଗଳବାର ଭୋର ସମୟରୁ ମୁଜାଗଡ ଗ୍ରାମ ନିକଟରେ ବିପରୀତ ଦିଗରୁ ସାରଙ୍ଗଡରୁ କୁଣ୍ଡା ନେଇ ବ୍ରହ୍ମପୁର ଆସୁଥିବା ଏକ ପିକଅପ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରୁ ପିକଅପ୍ ଚାଳକ ଫେରାର ରହିଥିବା ପୁଲିସ କହିଥିବା ବେଳେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଦ୍ରୁତଗତି କିମ୍ବା ଭୋର ସମୟରୁ ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

