ଛତ୍ରପୁର,୨୨।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ପଞ୍ଚାୟତିରାଜ ଓ ପୌର ପରିଷଦ ନିର୍ବାଚନ–୨୦୨୭କୁ ଦୃଷ୍ଟିରେ ରଖି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରକୁ ଘର ସର୍ବେକ୍ଷଣ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ଭିତ୍ତିଭୂମି, ମାନବ ସମ୍ବଳ ନିୟୋଜନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।ଗଞ୍ଜାମ ଜିଲ୍ଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ୩,୩୨୧ଟି ମତଦାନ କେନ୍ଦ୍ର ପାଇଁ ୩,୩୨୧ଟି ସର୍ବେକ୍ଷଣ ଦଳ ଗଠନ କରାଯାଇଛି। ଏହି କାର୍ଯ୍ୟରେ ୪୮୦ ଜଣ ବ୍ଲକ୍ ସୁପରଭାଇଜର, ୩,୩୦୮ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଏବଂ ୮,୩୬୩ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି। ସେହିପରି ଜିଲ୍ଲାର ବିଭିନ୍ନ ପୌରାଞ୍ଚଳରେ ୬୭୭ଟି ମତଦାନ କେନ୍ଦ୍ର ପାଇଁ ୨୯୫ଟି ସର୍ବେକ୍ଷଣ ଦଳ ଗଠନ କରାଯାଇଛି। ସର୍ବେକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ପ୍ରାୟତଃ ସମାପ୍ତ ହୋଇଛି।ଘରକୁ ଘର ସର୍ବେକ୍ଷଣ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମତଦାନ କେନ୍ଦ୍ରଗୁଡ଼ିକର ପ୍ରତ୍ୟକ୍ଷ ଯାଞ୍ଚ ସହ ପୋର୍ଟାଲରେ ନିର୍ଭୁଲ ତଥ୍ୟ ଅପଲୋଡ୍, ସର୍ବେକ୍ଷଣ ଦଳଗୁଡ଼ିକୁ ନିଯୁକ୍ତି ଆଦେଶ ଓ ପରିଚୟପତ୍ର ପ୍ରଦାନ, ବାଲାଟ୍ ବାକ୍ସଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ଓ ଯାଞ୍ଚ, ଆବଶ୍ୟକ ଗୋଦାମ ଚୟନ ଓ ଉପଲବ୍ଧତା ସମ୍ପର୍କରେ ପ୍ରମାଣପତ୍ର ପ୍ରଦାନ, ନିର୍ବାଚନ ସାମଗ୍ରୀ ବଣ୍ଟନ ଏବଂ ବ୍ଲକ୍ ମୁଖ୍ୟାଳୟ ଓ ପଞ୍ଚାୟତସ୍ତରରେ ବ୍ୟାନର୍ ଓ ପୋଷ୍ଟର୍ ମାଧ୍ୟମରେ ପ୍ରଚାରପ୍ରସାର ଓ ଜନସଚେତନତା ସୃଷ୍ଟି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ନିର୍ବାଚନ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିବା ସହ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ପୂର୍ବରୁ ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଆଭାସୀ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ ଓ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ।

