ବୁଗୁଡା,୨୦/୪: (କୁମୁଦ ଚନ୍ଦ୍ର ବେହେରା):ବୁଗୁଡା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗାଁ ଛକରେ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ ସମୟରେ ପୋଲିସ କବଜାରେ ଦୁଇ ଜଣ ବେଆଇନ ଗୋଚାଲାଣକାରୀ ପଡିଥିବା ବେଳେ ଦୁଇଟି ଗାଈ ସହ ଟାଟା-ଏସି ଗାଡି ଜବତ ହୋଇଥିବା ଜଣାଯାଇଛି । ଗିରଫ ହୋଇଥିବା ଦୁଇ ଗୋଚାଲାଣକାରୀ ହେଲେ ମକରାପଲ୍ଲୀ ଗ୍ରାମର ଭୀମସେନ ନାୟକ (୨୮) ଓ ବିଷ୍ଣୁ ନାୟକ (୨୭) । ଏନେଇ ପୋଲିସ ଏସଆଇ ରାଜକୁମାର ମହାପାତ୍ରଙ୍କ ଅଭିଯୋଗ କ୍ରମେ କେସ୍ ନଂ ୧୯୩/୨୬ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସାତାଂଶୁ ଶେଖର ମାଝୀଟାଙ୍କଠାରୁ ପ୍ରକାଶ ପାଇଛି ।ପ୍ରକାଶ ଯେ ଶନିବାର ବିଳମ୍ବିତ ରାତିରେ ମକରାପଲ୍ଲୀ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ବେଆଇନ ଗୋଚାଲାଣ ହେଉଥିଲା । ପେଟ୍ରୋଲିଂ ସମୟରେ ଗାଈ ବୋଝେଇ ଗାଡି (ନଂ-ଓଡି-୦୭-ଏଏଲ- ୭୩୬୮)ଟି ବିରଞ୍ଚିପୁର ଛକରେ ପୋଲିସ କବଜାରେ ପଡିଥିଲା । ପୋଲିସ ଗାଡି ଓ ଗାଈ ଦୁଇଟିକୁ ଜବତ କରିବା ସହ ଗୋଚାଲାଣକାରୀ ଦୁହିଁଙ୍କୁ ଗିରଫ କରିଥିଲା । ପୋଲିସ ଜବତ ଗାଈ ଦୁଇଟିକୁ କରଚୁଲି ଗ୍ରାମସ୍ଥ ଗୋଶାଳାକୁ ପଠାଇଥିବାବେଳେ ଘଟଣାର ତଦନ୍ତ ଦାୟିତ୍ୱରେ ଏସଆଇ ଜ୍ୟୋତିଶ୍ରୀ ସାହୁ ରହିଥିବା ଜଣାଯାଇଛି ।

