ବୁଗୁଡ଼ା,୦୬/୦୫,(କୁମୁଦ ଚନ୍ଦ୍ର ବେହେରା):ପାଠ୍ୟପୁସ୍ତକ ଯୋଗାଣକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରୀଷ୍ମ ଅବକାଶ ହୋଇଯାଇଛି, କିନ୍ତୁ ପିଲାଙ୍କୁ ସମସ୍ତ ପାଠ୍ୟପୁସ୍ତକ ମିଳିନାହିଁ । ନବମ ଏବଂ ଦଶମ ଶ୍ରେଣୀକୁ ଛାଡିଦେଲେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବହିକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତ ବହି ଆସି ନଥିବାବେଳେ ଯାହା ଆସିଛି ତାହା ପୁଣି ଚାଳିଶ ପ୍ରତିଶତ ପିଲାଙ୍କୁ ହିଁ ଯୋଗାଇବା ସମ୍ଭବ ହୋଇପାରିଛି । ଯାହା ଫଳରେ ପିଲାଙ୍କ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି । ସୂଚନା ଅନୁସାରେ ଦ୍ଵିତୀୟ ଶ୍ରେଣୀର ଗଣିତ, ଚତୁର୍ଥ ଶ୍ରେଣୀର ଇଂରାଜୀ, ପଞ୍ଚମ ଶ୍ରେଣୀର ସାହିତ୍ୟ, ଗଣିତ, ଇଂରାଜୀ ଓ ପରିବେଶବିଜ୍ଞାନ, ଷଷ୍ଠଶ୍ରେଣୀର ଗଣିତ, ବିଜ୍ଞାନ ଓ ସଂସ୍କୃତ, ସପ୍ତମ ଶ୍ରେଣୀର ବିଜ୍ଞାନ ଓ ହିନ୍ଦି, ଅଷ୍ଟମ ଶ୍ରେଣୀର ଇଂରାଜୀ ଓ ସଂସ୍କୃତ ବହି ଆଦୌ ଆସିନାହିଁ । ଅନ୍ୟପକ୍ଷରେ ଘରୋଇ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଖରେ ଖଣ୍ଡିଏ ବି ସରକାରୀ ପାଠ୍ୟପୁସ୍ତକ ନାହିଁ । ତେଣୁକରି ପିଲାମାନେ ପାଠ୍ୟପୁସ୍ତକ ନ ପାଇ ହାତବାନ୍ଧି ବସିଛନ୍ତି । ଚଳିତ ବର୍ଷ ଶିଶୁବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ନୂତନ ସିଲାବସ ହୋଇଥିବା ଯୋଗୁଁ ବଜାରରେ ମଧ୍ୟ ବହି କିମ୍ବା ସମସ୍ତ ବିଷୟର ସହାୟକ ପୁସ୍ତକ ଉପଲବ୍ଧ ନାହିଁ । ଅନ୍ୟପକ୍ଷରେ ମେ’ ମାସ ପୂର୍ବରୁ ସ୍କୁଲ ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋଇଯାଇଥିବାବେଳେ ଦେଢ଼ମାସରୁ ଅଧିକ ସମୟ ଛୁଟିରେ ପିଲାଏ ବିନା ବହିରେ କ’ଣ କରିବେ ବୋଲି ସାଧାରଣରେ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ, ଏହି ଗ୍ରୀଷ୍ମ ଅବକାଶ ମଧ୍ୟରେ ପିଲାଙ୍କୁ ଯଥାଶୀଘ୍ର ପାଠ୍ୟପୁସ୍ତକ ଯୋଗାଣ ପାଇଁ ଅଭିଭାବକ ମହଲରେ ଦାବି ହେଉଛି ।

