କଳାହାଣ୍ଡି,୧୭/୦୪:(ରୂପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ୍, ତେଣ୍ଡାପାଳି ଗ୍ରାମ ପଞ୍ଚାୟତ ପଦମପୁର ଗ୍ରାମରେ ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟା। ଖରା ଦିନ ଆସିବା ପୂର୍ବରୁ ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ। ସରକାର ବଦଳୁଛି ,ନେତା ମନ୍ତ୍ରି ବଦଳୁଛନ୍ତି କିନ୍ତୁ ସମସ୍ୟାର ସମାଧାନ ହେଲା ନାହି। ପାଣି ଟିକିଏ ପାଇଁ ଗ୍ରାମର ପ୍ରାୟ 30 ରୁ ଉର୍ଦ୍ଧ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି।ସକାଳ ପାହିଲେ ଘରେ ଘରେ ପାଣି ଚିନ୍ତା। ଗାଁ ର ମହିଳା ମାନେ ମାଠିଆ ଧରି ବାହାରି ପଢନ୍ତି ଏକ କିଲୋମିଟର ଦୂରରେ ଥିବା ଏକ ନଳକୂପକୁ। ଗାଁ ମଝିରେ ଥିବା ସେହି ଗୋଟେ ମାତ୍ର ନଳକୂପ ଅଛି ଯେଉଁଠି ଏକ ଘଣ୍ଟା ଅପେକ୍ଷା କଲେ ମାତ୍ର ଗୋଟେ କି ଦୁଇ ବାଲଟି ପାଣି ବାହାରିଥାଏ। ସେଥିରେ ମଧ୍ୟ ଅପରିଷ୍କାର ପାଣି ବାହାରିଥାଏ। ଗାଁ ନିକଟରେ ଥିବା କୂଅ ଏବଂ ନାଳର ପାଣି ମଧ୍ୟ ଶୁଖି ଯାଉ ଥିବାରୁ ଗାଁ ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ଏବଂ ବ୍ଲକ୍ ପ୍ରଶାସନ ନୀରବ ଦ୍ରଷ୍ଟା।ଏଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀମାନଙ୍କ ଦାବୀ ହେଉଛି।

