ଓଡ଼ଗାଁ,୩/୦୪:(କୁମୁଦ ଚନ୍ଦ୍ର ବେହେରା):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ୩ୟ ସନ୍ଧ୍ୟାରେ ପାରମ୍ପାରିକ ଲୋକକଳା ଓ ସଂସ୍କୃତିର ପ୍ରଚାରକ ଇଂ ଲଡୁ କିଶୋର ପଢ଼ିଆରୀ, ତାଙ୍କ ସ୍ତ୍ରୀ ଜୟନ୍ତୀ ପଢ଼ିଆରୀ ଏବଂ ତାଙ୍କ ସାଥୀଙ୍କ ଦ୍ଵାରା ପରିବେଷିତ ହୋଇଥିବା ଲୋକନୃତ୍ୟ ଘଟ କଳସୀ, ଦାସକାଠି, ଘୁଡୁକୀ, ବୀଣାକାର, ମହିଷାମର୍ଦ୍ଦିନୀ, ଆରତୀ ଏବଂ ମେରେକେଣ୍ଡା ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରିଥିଲା। ଭିକାରୀ ଚରଣ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇଙ୍କ ଦ୍ଵାରା ଲଡୁ କିଶୋର ଏବଂ ତାଙ୍କ ସାଥୀଙ୍କୁ ଉପଢୌକନ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଆଦିପୁରରେ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିବା ଲଡୁ କିଶୋର ଯୁବକ ଅବସ୍ଥାରେ ଗଞ୍ଜାମ ଜିଲ୍ଲାର ପାରମ୍ପାରିକ ଲୋକକଳା ଓ ସଂସ୍କୃତି ପ୍ରତି ଆକର୍ଷିତ ହୋଇଥିଲେ। ପରେ ଏହାର ପ୍ରଚାର ପ୍ରସାର ପାଇଁ ଲାଗି ପଡ଼ିଲେ। ଗୋଟିଏ ପାର୍ଶ୍ଵରେ ଟେଲିକମୁନିକେଶନ ଇଞ୍ଜିନିୟରି ସର୍ଭିସ,ଅନ୍ୟ ପାର୍ଶ୍ୱରେ ଲୋକକଳାର ପ୍ରଚାର ପ୍ରସାର ଏହି ସବୁ କାର୍ଯ୍ୟକୁ ଧ୍ୟାନ ଦେଇ ଆଗକୁ ବଢ଼ିବା ବେଳେ ବର୍ତ୍ତମାନ ୯୪ ବର୍ଷ ବୟସରେ ମଧ୍ୟ ସେ ଅଭିନୟ, କଳା ସଂସ୍କୃତିର ପ୍ରଚାରରୁ ଓହରି ଯାଇ ନାହାନ୍ତି। ଏକା ବେଳକେ ମୁଣ୍ଡରେ ଘଟ କଳସୀ, ହାତରେ ଘଣ୍ଟ, ଘଣ୍ଟା, ଝାଞ୍ଜ ଏବଂ ଗନି ଧରି ବାଦ୍ୟଯନ୍ତ୍ରର ତାଳେ ତାଳେ ବାଜଣା ତାଙ୍କର ଏକ ଅଭିନବ କୃତି। ଲଡୁ କିଶୋର ଜଣେ ବାଦ୍ୟଯନ୍ତ୍ର ଶିଳ୍ପୀ, ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ସୁବକ୍ତା, ସୁସଙ୍ଗଠକ, ମଞ୍ଚ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ଗୀତିକାର କଳା, ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ‘ମଧୁର ଝଙ୍କାର’ର ପ୍ରତିଷ୍ଠାତା ସଭାପତି ରହିଥିବା ବେଳେ ସାହିତ୍ୟରଥ, ବିଦଗ୍ଧ କଳାକାର, ବାଣୀରତ୍ନ, ବାଣୀ ବିଭୂଷଣ, କଳା କଳ୍ପଦ୍ରୁମ, କଳା ବିଭୂଷଣ ପ୍ରଭୃତି ଉପାଧି ବିଭିନ୍ନ ଅନୁଷ୍ଠାନରୁ ଗ୍ରହଣ କରିଛନ୍ତି। ଅତ୍ୟଧିକ ବୟସ ଯୋଗୁଁ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଏବଂ କିଛି କଳାକାର ସାହାଯ୍ୟରେ ଲୋକକଳାର ପ୍ରଚାର ପ୍ରସାରକୁ ଜୀବନ୍ତ ରଖିପାରିଛନ୍ତି।

