ପାତ୍ରପୁର,୧୬।୭(ଗୌରାଙ୍ଗ ପ୍ରଧାନ):ଦ୍ୱିତୀୟ ଶ୍ରୀକ୍ଷେତ୍ର ତଥା ପାର୍ଥସାରଥୀ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ାଗଡ଼ରେ ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ରାଜ୍ୟର ଏକ ପ୍ରସିଦ୍ଧ ଧାମ ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ମାନେ ସକାଳୁ ଆସି ପ୍ରଭୁ ପାର୍ଥସାରଥୀ ଓ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଆନ୍ଧ୍ର-ଓଡିଶା ସୀମାନ୍ତରେ ଜରଡ଼ା ଗାଁ ଅବସ୍ଥିତ ଥିବାରୁ ଯାତ୍ରାରେ ଆନ୍ଧ୍ର ଭକ୍ତଙ୍କ ସଂଖ୍ୟା ଅଧିକ ରହିଥିଲା । ଗୁରୁବାର ଭୋର ଠାକୁରଙ୍କ ରୀତିନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।ମନ୍ଦିର କମିଟି ତରଫରୁ ବେରିକେଡ ବ୍ୟବସ୍ଥା କରାଯାଇ ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଅପରାହ୍ନ ସାଢେ ଦୁଇଟା ବେଳେ ଦର୍ଶନ ବନ୍ଦ ହୋଇ ଅପରାହ୍ନ ୩ଘଣ୍ଟ ବେଳେ ପ୍ରଥମେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା,ତାପରେ ପାର୍ଥସାରଥୀଙ୍କ ପହଣ୍ଡି ହୋଇଥିଲା । ରାଜା ଦୀପକ ଚନ୍ଦ୍ର ଦେଓ ରଥ ଉପରେ ଛେରା ପଂହରା ଦେବା ପରେ ଭକ୍ତଙ୍କ ଜୟଧ୍ଵନି ଓ ହୁଳହୁଳି ଶବ୍ଦ ମଧ୍ୟରେ ଅପରାହ୍ନ ୫ଘଣ୍ଟ ବେଳେ ରଥଟଣା ହୋଇଥିଲା । କେ.କୃଷ୍ନମୂର୍ତ୍ତି ଓ ରାମ ଗୋପାଳ ପାଢ଼ୀ ରଥ ଉପରେ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ ।ପ୍ରବଳ ଭିଡକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା ଜରଡ଼ା ପୋଲିସ ଓ ଡ୍ରାଇଭର ସଂଘ ତରଫରୁ କରାଯାଇଥିଲା । ଗତ ଦୁଇଦିନ ଧରି ଝିପିଝିପି ବର୍ଷା ଲାଗିରହିଥିବା ବେଳେ ଗୁରୁବାର ପାଗ ସାମାନ୍ୟ ଶୁଖିଲା ହେବା ପରେ ଭକ୍ତଙ୍କ ଭିଡ଼ ବଢିଥିଲା ।ଜରଡ଼ା ଗ୍ରାମବାସୀ,ଯୁବଗୋଷ୍ଠୀ, ଅଗ୍ନିଶମ କର୍ମଚାରୀ, ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଶେଷ ସହଯୋଗ କରିଥିଲେ ।

