ଚିକିଟି,୧୨।୧୦(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ଖରଖରିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ସ୍ୱର୍ଗତ ପର୍ଶୁରାମ ପାଢ଼ୀଙ୍କ ସୁଯୋଗ୍ୟ ସନ୍ତାନ ତଥା ବିଦ୍ୟାଳୟର ପୁରାତନ ଛାତ୍ର ବାଳକୃଷ୍ଣ ପାଢ଼ୀ, ତାଙ୍କ ଧର୍ମପତ୍ନୀ ଓ ପୂର୍ବତନ ଶିକ୍ଷା ଅନୁନିରୀକ୍ଷକ ଗଣେଶ ପ୍ରସାଦ ପଣ୍ଡା ବିଦ୍ୟାଳୟକୁ ଆସିଥିଲେ।ଏହି ଅବସରରେ ସିଆର୍ସିସି ସୁଜିତ କୁମାର ପାଢ଼ୀ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ବିଷୋୟୀ, ସହକାରୀ ଶିକ୍ଷକ ରାଜେଶ କୁମାର ପାତ୍ର, ଶିକ୍ଷୟିତ୍ରୀ ମୀରାବାଇ ବିଷୋୟୀ ଓ ସନ୍ତୋଷିନୀ ପାଇକ, ପୂର୍ବତନ ଏସ୍ଏମ୍ସି ଅଧ୍ୟକ୍ଷ ନବୀନ ଚନ୍ଦ୍ର ବିଷୋୟୀ, ହିମାଂଶୁ ବିଷୋୟୀ, ଅମୂଲ୍ୟ କୁମାର ମାଝୀ ଓ ଅଭିଭାବକମାନେ ଅତିଥିମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ନିଜ ପିତାମାତାଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବାଳକୃଷ୍ଣ ପାଢ଼ୀ ୩୦,୦୦୦ ଟଙ୍କାର ସ୍ଥାୟୀ ଜମା ରଖିବାକୁ ଘୋଷଣା କରିଥିଲେ। ଏହାର ବାର୍ଷିକ ସୁଧରୁ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ସପ୍ତମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଜଣେ ଛାତ୍ରଛାତ୍ରୀ ଓ ଜଣେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ।ଏଥିସହ ସେ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୧୦ ଟଙ୍କା ମୂଲ୍ୟର ଚକୋଲେଟ୍ ବଣ୍ଟନ କରିଥିଲେ। ଏହା ପାଇ ପିଲାମାନେ ବେଶ୍ ଖୁସି ପ୍ରକାଶ କରିଥିଲେ। ନିଜ ପୁରାତନ ବିଦ୍ୟାଳୟ ପ୍ରତି ତାଙ୍କର ଏହି ଅବଦାନ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ଉତ୍ସାହ ବୃଦ୍ଧିରେ ସହାୟକ ହେବା ସହ ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟକ ହୋଇଛି।

