ଭଞ୍ଜନଗର,୧୩।୧୦(ନିଲୁ ବିଷୋୟୀ):ଭଞ୍ଜନଗରର ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିର ବର୍ଷିୟାନ ରାଜନେତା ଦିବଙ୍ଗତ ସୋମନାଥ ରଥଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି। ସହରର କବି ସମ୍ରାଟ ଷ୍ଟାଡିୟମ(ଜେଲ ପଡିଆ) ଠାରେ ସୋମନାଥ ରଥ ସ୍ମୃତି କମିଟି ପକ୍ଷରୁ ସଭାପତି ଏ.ବିଷ୍ଣୁ ପ୍ରସାଦ ଓ ସମ୍ପାଦକ ବବି ରଥଙ୍କ ପୌରହିତ୍ୟରେ ଏହି ପ୍ରତିମୂର୍ତ୍ତିକୁ ଆଜି ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଅନାବରଣ କରାଯାଇଛି। ସ୍ବର୍ଗତ ରଥଙ୍କ ପୁଅ ବିଜୟ କୁମାର ରଥ ଓ ବିନୟ କୁମାର ରଥଙ୍କ ଦ୍ବାରା ଏହା ଉନ୍ମୋଚନ କରାଯାଇଥିଲା। ଏଥିରେ ବହୁ ଜନସାଧାରଣ ଉପସ୍ଥିତ ରହି ସ୍ବର୍ଗତ ରଥଙ୍କ ସ୍ମୃତି ଚାରଣ କରିଥିଲେ। ସେ ବିଧାୟକ ହେବା ପରେ ରାଜ୍ୟ କ୍ୟାବିନେଟରେ ବରିଷ୍ଠ ମନ୍ତ୍ରୀ,ଆସିକା କ୍ଷେତ୍ରରୁ ସାଂସଦ ଓ ବାଚସ୍ପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଜଳସେଚନରୁ ଆରମ୍ଭ କରି,ବିଭିନ୍ନ ଶିକ୍ଷାନୁଷ୍ଠାନ,ଟିଭି ଷ୍ଟେସନ,ବିଇଡି କଲେଜ,ବିଭିନ୍ନ କୃଷି କ୍ଷେତ୍ର,ପ୍ରାଣୀ ଚିକିତ୍ସା କ୍ଷେତ୍ର,କ୍ରୀଡା ଓ ସ୍ବାସ୍ଥ୍ୟ ପାଇଁ ଅନେକ କାର୍ଯ୍ୟ କରିଥିବା ଅତିଥି ମାନେ ବକ୍ତବ୍ୟ ରଖିଥିଲେ। କବି ପ୍ରଶାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏ.ସୁନ୍ଦରୀ ,ବୟୋଜେଷ୍ଠ କ୍ରୀଡାବିତ ଏ.ମାରେୟା,ଡାନିଏଲ୍,ଖଲି ସ୍ବାଇଁ,ଓକିଲ ସଂଘ ସଭାପତି ସନ୍ତୋଷ ନାୟକ,ବର୍ଷିୟାନ ରାଜନେତା ଅରୁଣ ମହାପାତ୍ର,ନିକୁଞ୍ଜ ଖଣ୍ଡୁଆଳ,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଏ.ଗଣେଷ,ଲକ୍ଷ୍ମୀକାନ୍ତ ମହାପାତ୍ର,ବିଶ୍ବଜିତ ମିଶ୍ର,ରଣଜିତ ମିଶ୍ର,ସୁଧୀର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବହୁ ଆଇନଜୀବୀ,ଶିକ୍ଷାବିତ,ଜନସାଧାରଣ ପ୍ରମୁଖ ଉପସ୍ଥିତ ରହିଥିଲେ।

