ଭଞ୍ଜନଗର,୨୮।୭(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଦଶପଲ୍ଲା ମୁଖ୍ୟ ରାସ୍ତାର ସାହାଣପଲ୍ଲୀ ଓ ଭେରେଡା ଗ୍ରାମ ମଧ୍ୟବର୍ତ୍ତି ସ୍ଥାନରେ ବାଇକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ଉଭୟ ଗାଡିର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ବ୍ରହ୍ମପୁର ଅଶୋକ ନଗରର ଏସ୍ ରାମୁଡୁ ପାତ୍ର ଓ ସମୀର କୁମାର ଦାଶ ଏମାନଙ୍କ ସହ ବିପରୀତ ଦିଗରୁ ଆସୁଥିବା ଲେମ୍ଭାଇ ବାଲିସାହିର ଜିତୁ ଗୌଡ ଓ ବାହାକପଲ୍ଲୀର ସୁନୀଲ ଗୌଡ ବୋଲି ଜଣାପଡିଛି। ରାମୁଡୁ ଓ ସମୀର ଗୋଟିଏ ଗାଡିରେ ଅଏଲ ଦୋକନରୁ ଟଙ୍କା ସଂଗ୍ରହ କରି କୁଲାଡ ଗ୍ରାମରୁ ଭଞ୍ଜନଗର ଆଡକୁ ଆସୁଥିବା ବେଳେ ଜିତୁ ଓ ସୁନୀଲ ଭଞ୍ଜନଗରରୁ ଜନ୍ମଦିନ କେକ୍ ନେଇ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସେହିପରି ବେଲଗୁଣ୍ଠା ଥାନା ବାଣତୁମ୍ବ ନିକଟରେ ଆଜି ମଧ୍ୟାହ୍ନରେ ଏକ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ବେଲଗୁଣ୍ଠାର ବଳରାମ ସ୍ବାଇଁ(୧୭) ଏକ ବାଇକରେ ବେଲଗୁଣ୍ଠାରୁ ଆସୁଥିବା ବେଳେ କଞ୍ଚଣା ଗ୍ରାମର ଦୁଯ୍ୟୋଧନ ସାହୁ(୮୦)ଙ୍କ ସହ ଧକ୍କା ହେବାରୁ ସେମାନଙ୍କୁ ମଧ୍ୟ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

