ଜଗନ୍ନାଥପ୍ରସାଦ-୨୦/୦୮ (ପୂର୍ଣ୍ଣଚନ୍ଦ୍ର ବାରିକ):ପୁଣି ସାମ୍ନାକୁ ଆସିଛି ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣାର ଅଭିଯୋଗ । ନ୍ୟାୟ ଦାବିରେ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଲେ ପ୍ରେମିକା । ଦୀର୍ଘ ୪ ବର୍ଷ ଧରି ଏକାଠି ରହିବା ପରେ ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରେମିକା । ନ୍ୟାୟ ପାଇଁ ଦୂର ଛତିଶଗଡ଼ରୁ ଆସି ଗଞ୍ଜାମ ଜିଲ୍ଲାରେ ପ୍ରେମିକର ଘର ଆଗରେ ଧାରଣା ଦେଇଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧାର ଗାଁରୁ,ଏହି ଗ୍ରାମର ର ଜଣେ ଯୁବକଙ୍କ ଘର ସମ୍ମୁଖରେ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଜଣେ ଯୁବତୀ । ଯୁବତୀଙ୍କ ଘର ଛତିଶଗଡ଼ରେ । ହାଇଦ୍ରାବାଦରେ ରହି ଏକ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ସମୟରେ ପଟାଧାର ଗାଁର ଆଶିଷ କୁମାର ସାହୁଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ପରେ ଏହି ପରିଚୟ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା,ଯୁବତୀଙ୍କ କହିବା ଅନୁସାରେ, ବିବାହ ନକରିଥିଲେ ମଧ୍ୟ ଉଭୟେ ପ୍ରାୟ ୪ ବର୍ଷ ଧରି ଏକାଠି ରହୁଥିଲେ । ଏହି ସମୟରେ ଆଶିଷ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।କିନ୍ତୁ ହଠାତ୍ ଗାଁକୁ ଯିବା କଥା କହି ଆଶିଷ ହାଇଦ୍ରାବାଦରୁ ଚାଲି ଆସିଥିଲେ । ପରେ ପରିବାର ଲୋକଙ୍କ ସହମତିରେ ଗତ ମାର୍ଚ୍ଚ ମାସରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଖବର ପାଇଥିଲେ ରାମକାଳୀ ସାହୁ ।ଖବର ପାଇ ରାମକାଳୀ ହାଇଦ୍ରାବାଦରୁ ପଟାଧାର ଗାଁରେ ଆସି ପହଞ୍ଚିଥିଲେ । ତେବେ ପ୍ରେମିକଙ୍କ ପରିବାର ପକ୍ଷରୁ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି ।ଏନେଇ ଗତ ଅପ୍ରେଲ ମାସରେ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିବା ଦାବି କରିଛନ୍ତି ରାମକାଳୀ । ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ତାଙ୍କୁ ନ୍ୟାୟ ମିଳିନଥିବା ବେଳେ, ପୁଣି ହାଇଦ୍ରାବାଦରୁ ଆସି ପଟାଧାର ଗାଁରେ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ ରାମକାଳୀ । ଘଟଣା ସମ୍ପର୍କରେ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଆଶିଷ କୁମାର ସାହୁ ଙ୍କୁ ନ ପାଇ ତାଙ୍କ ବାପାଙ୍କୁ ଥାନାକୁ ନେଇ ତଦନ୍ତ ଚଳାଇଛି, ଅନ୍ୟପଟେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି କହିଛନ୍ତି ଯୁବତୀ !

