ଫୁଲବାଣୀ,୫/୬,(ସୁନୀଲ ପଟ୍ଟନାୟକ):ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ମତଦାତା ତାଲିକା ସଂଶୋଧନ (SIR) କାର୍ଯ୍ୟକ୍ରମକୁ ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବେଦଭୂଷଣ ପତାକା ଦେଖାଇ ଏହି ସଚେତନତା ରଥର ଶୁଭ ଉଦ୍ଘାଟନ କରିଥିଲେ।ମତଦାତା ତାଲିକାରେ ନାମ ଅନ୍ତର୍ଭୁକ୍ତି, ସଂଶୋଧନ ଓ ବିଲୋପ ସମ୍ପର୍କିତ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଏସ ଆଇ ଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ରଥର ମୂଳ ଲକ୍ଷ୍ୟ ବୋଲି ଜଣାପଡ଼ିଛି। ଉଦ୍ଘାଟନ ପରେ ରଥଟି ଫୁଲବାଣୀ ସହରର ବିଭିନ୍ନ ୱାର୍ଡ ଓ ଜନବହୁଳ ଅଞ୍ଚଳ ପରିଭ୍ରମଣ କରି ସଚେତନତା ବାର୍ତ୍ତା ପ୍ରଚାର କରିଥିଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଭିକାରୀ ସାହୁ, ଡ୍ୟୁ ଡ଼ା ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାରେ ଏସ ଆଇ ଆର୍ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଏହି ସଚେତନତା ଅଭିଯାନ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

