ଖଜୁରୀପଡ଼ା,୧।୮(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ଡାଞ୍ଜୁ ଓ ବ୍ରଡିଗୁଡା ଗ୍ରାମର ରାସ୍ତା ଏବେ ବର୍ଷାପାଣିରେ କାଦୁଅ ହୋଇ ଗ୍ରାମବାସୀଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି। ଲଘୁଚାପଜନିତ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ପଡ଼ିଥିବାରୁ ଦୈନନ୍ଦିନ ଯାତାୟତରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସୂଚନା ଅନୁସାରେ, ଏହି ଦୁଇ ଗ୍ରାମରେ ୧୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଗ୍ରାମକୁ ଯିବା ରାସ୍ତାର କିଛି ଅଂଶ କଂକ୍ରିଟ ହୋଇଥିବା ବେଳେ ଆଉ କିଛି ଅଂଶ ଏବେ ମଧ୍ୟ କଚ୍ଚା ରହିଛି। ବର୍ଷା ହେଲେ ଏହି କଚ୍ଚା ରାସ୍ତା କାଦୁଅରେ ପରିଣତ ହୋଇଯାଉଛି। ଫଳରେ ଗ୍ରାମବାସୀଙ୍କ ସହ ଛାତ୍ରଛାତ୍ରୀମାନେ ମଧ୍ୟ ବିଦ୍ୟାଳୟ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି। ଜରୁରୀକାଳୀନ ସମୟରେ ରୋଗୀଙ୍କୁ ନେବା, ଦୈନନ୍ଦିନ କାର୍ଯ୍ୟ ପାଇଁ ବାହାରକୁ ଯିବା ଓ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟରେ ମଧ୍ୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରାସ୍ତାର ସମସ୍ୟା ନେଇ ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ସମିତି ନିର୍ବାଚିତ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନାହିଁ। ଗତ କିଛି ମାସ ପୂର୍ବରୁ ଗ୍ରାମର ଯୁବକ ସଂଘ ନିଜସ୍ୱ ଖର୍ଚ୍ଚରେ ଟ୍ରାକ୍ଟର ଯୋଗେ ମାଟି ଆଣି ରାସ୍ତାରେ ପକାଇଥିଲେ। ତଥାପି ବର୍ଷା ଆସିଲେ ପୁଣି ସମସ୍ୟା ସୃଷ୍ଟି ହେଉଛି।ତେଣୁ ବ୍ଲକ ପ୍ରଶାସନ ଏହି ରାସ୍ତା ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ଉନ୍ନତିକରଣ କରିବା ସହ ଯାତାୟତ ସୁବିଧା ସୁନିଶ୍ଚିତ କରିବାକୁ ଡାଞ୍ଜୁ ଓ ବ୍ରଡିଗୁଡା ଗ୍ରାମବାସୀ ଦାବି କରିଛନ୍ତି।

