ବୁଗୁଡ଼ା,୨।୮(ପୂର୍ଣ୍ଣଚନ୍ଦ୍ର ବାରିକ):ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ ବର୍ଷା ପାଇଁ ଆକାଶକୁ ଚାହିଁ ବସିଛନ୍ତି।

