ବ୍ରହ୍ମପୁର,୧୦/୫,(ହିମାଂଶୁ ଶେଖର ସାବତ): “ମା” ହେଉଛନ୍ତି ସୃଷ୍ଟିର ସର୍ବଶ୍ରେଷ୍ଠ ଓ ସମ୍ମାନନୀୟ ସ୍ଥାନର ଅଧିକାରିଣୀ। ମା’ର ଅସୀମ ତ୍ୟାଗ, ସ୍ନେହ ଓ ସଂଘର୍ଷ ଯୋଗୁଁ ଆମେ ସମାଜରେ ମଣିଷ ଭାବେ ବଞ୍ଚିବା ସହ ଆଗକୁ ବଢ଼ି ପାରୁଛୁ। ମନ୍ଦିର କିମ୍ବା ମସଜିଦ ଯିବା ଅପେକ୍ଷା ନିଜ ମା’ ବାପାଙ୍କ ସେବା ଓ ସମ୍ମାନ କରିବା ହିଁ ସତ୍ୟ ପୂଜା ବୋଲି ମତ ପ୍ରକାଶ ପାଇଛି।ରାମଚନ୍ଦ୍ରପୁର ସ୍ଥିତ ମହାନ୍ ସଂଘ୍ ଦ୍ୱାରା ପରିଚାଳିତ “ବିଶ୍ୱ ନିକେତନ ଜରା ନିବାସ”ରେ ରବିବାର ଆୟୋଜିତ ମାତୃ ଦିବସ ପାଳନ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ କରିଥିଲେ ସଂସ୍ଥାର ପ୍ରତିଷ୍ଠାତା ତଥା ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ।କାର୍ଯ୍ୟକ୍ରମରେ ଜରା ନିବାସର ଅନ୍ତେବାସୀମାନଙ୍କ ସହ ଆତ୍ମୀୟ ଆଲୋଚନା କରାଯାଇଥିଲା। ମାତୃତ୍ୱର ମହତ୍ତ୍ୱ, ପରିବାରରେ ବୃଦ୍ଧ ମା’ ବାପାଙ୍କ ସମ୍ମାନ ଓ ସେବାର ଆବଶ୍ୟକତା ଉପରେ ଅତିଥିମାନେ ମତାମତ ରଖିଥିଲେ। ପରେ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ସମସ୍ତଙ୍କ ସହ ମାତୃ ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ସଂସ୍ଥାର ସଦସ୍ୟ, ସଦସ୍ୟା ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜରା ନିବାସର ପରିବେଶ ଭିତରେ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନ୍ତେବାସୀମାନେ ମଧ୍ୟ ଏପରି ଆୟୋଜନ ପାଇଁ ଖୁସି ବ୍ୟକ୍ତ କରିଥିଲେ।

