ପାତ୍ରପୁର,୨୫/୦୪:(କୁରେଶୁ ରେଡ୍ଡୀ):ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ଶବରଦେଇପେଟା ଗ୍ରାମରେ ଭୟଙ୍କର ବିସ୍ଫୋରଣ ସହିତ ଅଗ୍ନିକାଣ୍ଡ ଘଟିଯାଇଥିବା ଜଣାପଡ଼ିଛି । ଖବର ପାଇ ପାତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥି ସହିତ ଜରଡା ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବେଆଇନ ବାଣ ତିଆରି କରୁଥିବା ସନ୍ଦେହରେ କିଛି ଲୋକଙ୍କ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ଗ୍ରାମ ପଛପଟ ବିଲରେ ଥିବା ଗୋଟିଏ ଚାଳ କୁଡ଼ିଆ ଘରୁ ହଠାତ୍ ବଡ଼ ବିସ୍ଫୋରଣ ହେବା ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବାଣ ତିଆରି କୁଡ଼ିଆରେ ନିଆଁ ଲାଗି ହୁତୁ ହୁତୁ ଜଳୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗ୍ରାମବାସୀ ପାତ୍ରପୁର ଅଗ୍ନିଶମ ବାହିନୀ ଓ ଜରଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ଜରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଉକ୍ତ ଚାଳ କୁଡ଼ିଆଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥି ସହିତ ବିସ୍ଫୋରଣରେ ଅଗ୍ନିକାଣ୍ଡ ଘଟିଥିବା ଖବର ଶୁଣି ଗ୍ରାମବାସୀ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅନ୍ୟ ପକ୍ଷରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣାରେ ଜରଡା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ରାତିରେ ଜରଡା ଥାନା ଅଧିକାରିଣୀ ମିନାକ୍ଷୀ ଦଳବେହେରା ଉକ୍ତ ଗ୍ରାମରେ ବେଆଇନ ବାଣ ବ୍ୟବସାୟରେ ଲିପ୍ତ ଥିବା ସନ୍ଦେହରେ ଚାରି ଜଣ ବାଣ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତିନି ଜଣ ବ୍ୟବସାୟୀ ପୋଲିସକୁ ସହଯୋଗ କରିଥିବା ବେଳେ ସେମାନଙ୍କ ଘରୁ କୌଣସି ବାଣ ସାମଗ୍ରୀ ମିଳିନଥିଲା। କିନ୍ତୁ ଚତୁର୍ଥ ବାଣ ବ୍ୟବସାୟୀ ଘରେ ଚଢ଼ାଉ କରିବାକୁ ପୋଲିସ ତାଙ୍କ ଘର ପାଖରେ ପହଞ୍ଚିଥିବା ବେଳେ ବ୍ୟବସାୟୀ ଜଣକ ଘରେ ଚାବି ପକାଇ ଚମ୍ପଟ ମାରିଥିବା ଜଣାପଡ଼ିଛି। ପୁଣି ଶନିବାର ତଥା ଆଜି ସକାଳ ସମୟରେ ଗତକାଲି ଚମ୍ପଟ ମାରିଥିବା ବ୍ୟବସାୟୀଙ୍କ ଘରେ ପୋଲିସ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ହାତ ତିଆରି ବାଣ ଜବତ ହୋଇଥିବା ବେଳେ ନାଗରାଜୁ ନାମକ ଜଣେ ବେଆଇନ ବାଣ ବ୍ୟବସାୟୀକୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଦେଖିବାକୁ ମିଳିଛି। ଏନେଇ ଜରଡା ପୋଲିସ ସହିତ ଯୋଗାଯୋଗ କରିବାରୁ ଯେଉଁ କୁଡ଼ିଆରେ ଅଗ୍ନିକାଣ୍ଡ ଘଟିଛି ସେଠାରେ କୌଣସି ବିସ୍ଫୋରକ ସାମଗ୍ରୀ କିଛି ମିଳିନାହିଁ। କୌଣସି କାରଣରୁ ଉକ୍ତ କୁଡ଼ିଆରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଗ୍ରାମର କିଛି ଲୋକଙ୍କ ଘରେ ବେଆଇନ ବାଣ ସାମଗ୍ରୀ ଥିବା ସନ୍ଦେହରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଏଲ ନାଗରାଜୁ ନାମକ ଜଣେ ବାଣ ବ୍ୟବସାୟୀଙ୍କ ଘରେ ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ। ଏଥି ସହିତ ଜରଡା ଥାନା ପକ୍ଷରୁ ୧୩୪/୨୬ ରେ ଏକ ମାମଲା ରୁଜୁ କରି ଏଲ ନାଗରାଜୁ ନାମକ ଜଣେ ବାଣ ବ୍ୟବସାୟୀକୁ ଥାନା ଅଟକ ରଖିଥିବା ନେଇ ସବ୍ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ନାୟକ ସୂଚନା ଦେଇଛନ୍ତି।ସୂଚନା ଥାଉକି ପାତ୍ରପୁର ବ୍ଲକ ବି ନୁଆଗାଁ ପଞ୍ଚାୟତ ଅନ୍ତର୍ଗତ ସବରଦାଇପେଟା ଦିପାବଳୀ ସମୟରେ ବାଣ ବ୍ୟବସାୟର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନାଁ ଦିପାବଳୀ ସମୟରେ ଉକ୍ତ ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ପ୍ରବଳ ବାଣ ବିକ୍ରି ହୋଇଥାଏ। ଏଥି ସହିତ ବର୍ଷ ତମାମ ଗ୍ରାମର କିଛି ଲୋକ ବିବାହ,ବ୍ରତ ସିଜନରେ ମଧ୍ୟ ବାଣ ତିଆରି ଓ ବ୍ୟବସାୟ କରୁଥିବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକଙ୍କ କଥାରେ ଶୁଣିବାକୁ ମିଳୁଛି। ତେବେ ଏପରି ବେଆଇନ ବାଣ ବ୍ୟବସାୟୀଙ୍କ ଉପରେ ଜରଡା ପୋଲିସ, ପାତ୍ରପୁର ଅଗ୍ନିଶମ ବିଭାଗ ତରଫରୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

