ଖଜୁରୀପଡ଼ା,୦୪।୧୧(ମନୋଜ କୁମାର ବେହେରା):ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟା ‘ମୁରାସୁର’ର ପ୍ରଭାବକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଖଜୁରୀପଡ଼ାସ୍ଥିତ ମା’ ଗୃହରେ ବିଭିନ୍ନ ଗ୍ରାମରୁ ଆସିଥିବା ୭ ଜଣ ଗର୍ଭବତୀ ମହିଳାଙ୍କୁ ରଖାଯାଇଛି। ସୂଚନା ଅନୁଯାୟୀ, ସୁଦୃକୁମ୍ପା ପଞ୍ଚାୟତ ଅନ୍ତର୍ଗତ କାଳିଆମ୍ବା, ସେନୀଗାଡୁ, ଜାଣେମେଣୀ ଓ ଦଳପଡ଼ା ଗ୍ରାମ ସମେତ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ଓ ବିଲାବାଡ଼ି ଗ୍ରାମର ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଖଜୁରୀପଡ଼ା ମା’ ଗୃହକୁ ଅଣାଯାଇଛି। ସେଠାରେ ସେମାନଙ୍କ ରହିବା, ଖାଇବା ଓ ସ୍ୱାସ୍ଥ୍ୟସେବାର ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ସହ ଆବଶ୍ୟକୀୟ ଯତ୍ନ ଓ ସେବା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି। ବାତ୍ୟା ସମୟରେ ଗର୍ଭବତୀ ମା’ ଓ ଗର୍ଭସ୍ଥ ଶିଶୁଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ। ତେଣୁ ଆଗୁଆ ସତର୍କତା ଅବଲମ୍ବନ କରି ସେମାନଙ୍କୁ ନିରାପଦ ସ୍ଥାନରେ ରଖିବା ସହ ଖାଦ୍ୟପେୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ଏକ ପ୍ରଶଂସନୀୟ ପଦକ୍ଷେପ।ବିପଦ ସମୟରେ ମା’ ଓ ଶିଶୁଙ୍କ ସୁରକ୍ଷା ହିଁ ସର୍ବପ୍ରଥମ।

