ଚିକିଟୀ,୨୩/୪:(ନିଗମାନନ୍ଦ ପଣ୍ଡା ):ରାଜନୈତିକ ଚାପରେ ହିତାଧିକାରୀ ଚୟନ , ପଲ୍ଲୀସଭା ଗ୍ରାମସଭା ରେ ସ୍ଥିରୀକୃତ ଚିଠା କୁ ବାଦଦେଇ ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନାରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି, ଅନ୍ତୋର୍ଦୟ ଯୋଜନାରେ ଅଣ ହିତାଧିକାରୀ ମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ, ଦୁଇବର୍ଷ ହେଲା ବକେୟା ବିଲ ପ୍ରଦାନ ଭଳି ସଙ୍ଗୀନ ଏଗାର ଦଫା ଦାବୀ ରଖି ଚିକିଟି ବ୍ଲକ ସରପଞ୍ଚ ସମିତି ମାନଙ୍କ ଅନଶନ ଚତୁର୍ଥ ଦିନ ଅତିକ୍ରମ କରିଛି। ଦୀର୍ଘ ଚାରଦିନ ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର ଚିକିଟି ବ୍ଲକ ପହଞ୍ଚି ଅନଶନରତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅନଶନ ପ୍ରତ୍ୟାହାର କରି ଆଲୋଚନା ମଞ୍ଚକୁ ଆସିବାକୁ ପ୍ରବର୍ତ୍ତାଇ ଥିଲେ। ନିର୍ବାଚିତ ପ୍ରତିନିଧିମାନେ ଉପ ଜିଲ୍ଲାପାଳ ମହୋଦୟଙ୍କୁ ନିଜ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାକୁ ଅନୁରୋଧ କରି ଅନଶନ ପ୍ରତ୍ୟାହାରକୁ ରୋକଠୋକ ମନା କରିଦେଇଥିଲେ। ବ୍ରହ୍ମପୁର ଲୋକସଭା ସାଂସଦ ପାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର ଧାରଣାସ୍ଥଳରେ ପହଞ୍ଚି ଅନଶନରତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିକ୍ରିୟାରେ ପ୍ରତିନିଧି ମାନଙ୍କ ଦାବୀ ଯଥାର୍ଥ ଅଛି, ଚିକିଟି ବିଡ଼ିଓ ବିଜେପି ଦଳର ଏଯେଣ୍ଟ ନହୋଇ କାର୍ଯ୍ୟକରିବା ସହ ଜିଲ୍ଲା ପ୍ରଶାସନ ଅତିଶିଘ୍ର ସମ୍ମାନୀୟ ପ୍ରତିନିଧି ମାନଙ୍କ ନିଜ ସାମ୍ବିଧାନିକ ହକ ପ୍ରଦାନ କରୁ ବୋଲି ଦାବୀ କରିଥିଲେ। ଆସନ୍ତା କାଲି ପଞ୍ଚାୟତିରାଜ ଦିବସ ଥିବା ବେଳେ ଏହି ପରିପ୍ରେକ୍ଷୀରେ ନିର୍ବାଚିତ ପ୍ରତିନିଧିମାନେ କଳା ବ୍ୟାଜ ପରିଧାନ କରି ଦିବସ ପାଳନ କରିବେ ବୋଲି ସ୍ଥିର କରିଛନ୍ତି। ଦାବୀ ସମାଧାନ ନହେଲେ ଆସନ୍ତା ଶନିବାର ଠାରୁ ଉଭୟ ମହିଳା ଓ ପୁରୁଷ ସଦସ୍ୟ ମାନେ ଆମରଣ ଅନଶନ ଆରମ୍ଭ କରିବାକୁ ସ୍ଥିର କରି ପ୍ରଶାସନକୁ ଲିଖିତ ଭାବେ ଜଣାଇ ଦେଇଥିବା ବ୍ଲକ ଅଧକ୍ଷ ଆପନ୍ନ ସେଠୀ ପ୍ରକାଶ କରିଛନ୍ତି।ଶାସନ ତନ୍ତ୍ରର ସୁବିଧା ପାଇଁ ଭୋଟ ଦେଇ ନିର୍ବାଚିତ କରିଥିବା ନିଜ ନେତାମାନଙ୍କ ଏପରି ଦୁଃଖକଷ୍ଟରେ ଅସହ୍ୟବୋଧ ହୋଇ ଅଞ୍ଚଳବାସୀ ପ୍ରଶାସନ ର ଏପରି ଅଗଣତାନ୍ତ୍ରିକ ମନୋଭାବ ପାଇଁ ନିନ୍ଦା କରୁଥିବା ପରିଲକ୍ଷିତ ହେଉଛି।

