ଖଜୁରୀପଡ଼ା/ଟିକାବାଲି, ୧୮/୦୭(ମନୋଜ କୁମାର ବେହେରା): ଏକପଟେ ବିଦ୍ୟୁତ୍ ବିଭାଗ ସୁରକ୍ଷିତ ବିଦ୍ୟୁତ୍ ବ୍ୟବହାର ଓ ଦୁର୍ଘଟଣା ରୋକିବା ପାଇଁ ସଚେତନତା ସୃଷ୍ଟି କରୁଥିବା ବେଳେ, ଅନ୍ୟପଟେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ମିଡ଼ାବାଲି ପଞ୍ଚାୟତର ତରୁବାଲି ସ୍ଥିତ ପଦାସାହି ଗ୍ରାମରେ ଦୀର୍ଘ ୧୦ ବର୍ଷ ଧରି କାଠ ଖୁଣ୍ଟ ଉପରେ ବିଦ୍ୟୁତ୍ ସଂଯୋଗ ଚାଲିଥିବା ଘଟଣା ସାମ୍ନାକୁ ଆସିଛି। ଏହି ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ସୁରକ୍ଷାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ଗ୍ରାମର ଜଗନ୍ନାଥ ବେହେରା, ରାଜେନ୍ଦ୍ର ବେହେରା, ପ୍ରକାଶ କହଁର, ନିରି ପ୍ରଧାନ, ଲକ୍ଷ୍ମୀକାନ୍ତ ପ୍ରଧାନ ଓ କଳାକାନ୍ତ ପ୍ରଧାନଙ୍କ ସମେତ କିଛି ପରିବାର ପ୍ରାୟ ୩୦୦ ମିଟର ଦୂରରେ ଥିବା ବିଦ୍ୟୁତ୍ ଖୁଣ୍ଟରୁ କାଠ ଖୁଣ୍ଟ ସାହାଯ୍ୟରେ ବିଦ୍ୟୁତ୍ ସଂଯୋଗ ପାଇ ଆସୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଏଭଳି ବ୍ୟବସ୍ଥାରେ ସଂଯୋଗ ଦେଇଥିଲେ। ସେତେବେଳେ ବିଦ୍ୟୁତ୍ ସୁବିଧା ମିଳିଥିଲେ ମଧ୍ୟ, ବର୍ତ୍ତମାନ ଏହା ସୁରକ୍ଷା ପାଇଁ ଏକ ବଡ଼ ବିପଦରେ ପରିଣତ ହୋଇଛି।ବର୍ତ୍ତମାନ ଟାଟା ପାୱାର ଟିପିଏସଓଡ଼ିଏଲ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପୁରୁଣା ଖୁଣ୍ଟ ପରିବର୍ତ୍ତନ, ସ୍ମାର୍ଟ ମିଟର ସ୍ଥାପନ ଓ ବିଦ୍ୟୁତ୍ ବ୍ୟବସ୍ଥାର ଆଧୁନିକୀକରଣ କରାଯାଉଥିବା ବେଳେ, ପଦାସାହି ଗ୍ରାମର ଏହି ସମସ୍ୟା ପ୍ରତି ବିଭାଗର ଦୃଷ୍ଟି ପଡ଼ିନଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନେ ରାଇକିଆ ବିଦ୍ୟୁତ୍ କାର୍ଯ୍ୟାଳୟ, ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ଫଳରେ ପ୍ରତିବର୍ଷ କାଠ ଖୁଣ୍ଟ ପତି କିମ୍ବା ନଷ୍ଟ ହୋଇଯିବାରୁ ନୂଆ କାଠ ଖୁଣ୍ଟ ପୋତି ବିଦ୍ୟୁତ୍ ସଂଯୋଗ ଚାଲୁ ରଖିବାକୁ ପଡ଼ୁଛି।ଏ ସମ୍ପର୍କରେ ରାଇକିଆ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରବଣ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, “ଯଦି ଆଗରୁ ବିଦ୍ୟୁତ୍ ଖୁଣ୍ଟ ନଥିଲା ଏବଂ କାଠ ଖୁଣ୍ଟରେ ସଂଯୋଗ ଦିଆଯାଇଛି, ତେବେ ବର୍ତ୍ତମାନ ସେଥିରେ କିଛି କରିହେବ ନାହିଁ। ସିମେଣ୍ଟ କିମ୍ବା ଲୁହା ଖୁଣ୍ଟ ଭାଙ୍ଗିଥିଲେ ତାହା ପରିବର୍ତ୍ତନ କରାଯାଇପାରିବ। ପୂର୍ବରୁ ଏପରି ସଂଯୋଗ ଦେବା ଠିକ୍ ହୋଇନଥିଲା, କିନ୍ତୁ ବର୍ତ୍ତମାନ ସେହି ଭୁଲକୁ ସୁଧାରିବା ସମ୍ଭବ ନୁହେଁ ।ବିଭାଗର ଏହି ଉତ୍ତରକୁ ନେଇ ସ୍ଥାନୀୟ ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ପ୍ରଶ୍ନ, ବିଦ୍ୟୁତ୍ ସଂଯୋଗ ଦେବା ସମୟରେ ଯଦି ନିୟମ ଉଲ୍ଲଂଘନ ହୋଇଥିଲା, ତେବେ ତାହାର ଦଣ୍ଡ ସାଧାରଣ ଉପଭୋକ୍ତା କାହିଁକି ଭୋଗିବେ? ଜନସୁରକ୍ଷାକୁ ଦୃଷ୍ଟିରେ ରଖି କାଠ ଖୁଣ୍ଟ ବଦଳରେ ତୁରନ୍ତ ଲୁହା କିମ୍ବା ସିମେଣ୍ଟ ବିଦ୍ୟୁତ୍ ଖୁଣ୍ଟ ସ୍ଥାପନ କରି ସ୍ଥାୟୀ ସମାଧାନ କରିବାକୁ ସେମାନେ ଦୃଢ଼ ଦାବି କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା, ବିଦ୍ୟୁତ୍ ବିଭାଗ ଏହି ସମ୍ବେଦନଶୀଳ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁଛି, ନା ପୂର୍ବଭଳି କାଠ ଖୁଣ୍ଟ ଉପରେ ହିଁ ଏହି ପରିବାରମାନେ ବିପଦସଙ୍କୁଳ ପରିସ୍ଥିତିରେ ବିଦ୍ୟୁତ୍ ବ୍ୟବହାର କରିବାକୁ ବାଧ୍ୟ ହେବେ।

