ଭଞ୍ଜନଗର,୨।୧୦(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଲକ ଅଧିନ ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। ବିଡିଓ ଭାରତୀ ଦେବୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଗ୍ରାମସଭାରେ ‘ଆମ ଗଞ୍ଜାମ–ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଗ୍ରାମର ସାମଗ୍ରିକ ବିକାଶ ନେଇ ବିଭିନ୍ନ ସଚେତନତାମୂଳକ ଭିଡିଓ ଏବଂ ସଫଳତାର କାହାଣୀ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀ, ଜନପ୍ରତିନିଧି, ପଞ୍ଚାୟତିରାଜ ସଂସ୍ଥାର ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ବ୍ଲକସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ଓ ଗ୍ରାମର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା। ତିଳିସିଙ୍ଗି ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ବିଡିଓ ଭାରତୀ ଦେବୀ ଏବଂ ଅତିରିକ୍ତ ତହସିଲଦାର ଅବିନାଶ ମାହାର ଯୋଗଦେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ଅଭିଯୋଗ, ସମସ୍ୟା ଏବଂ ଆବଶ୍ୟକତା ସମ୍ପର୍କିତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ‘ବିକଶିତ ଗ୍ରାମ ପଞ୍ଚାୟତ’ ଗଠନ ଲକ୍ଷ୍ୟରେ ଗ୍ରାମର ଆବଶ୍ୟକ ଭିତ୍ତିଭୂମି, ଜନସେବା ଓ ବିକାଶମୂଳକ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବଗୁଡ଼ିକୁ ଗ୍ରାମସଭାରେ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ସହଭାଗିତା ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ସ୍ୱଚ୍ଛ, ସୁସ୍ଥ ଓ ବିକଶିତ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଏହି ସ୍ୱତନ୍ତ୍ର ଗ୍ରାମସଭା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା।

