ବୁଗୁଡ଼ା,୨୩/୪(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍କଲ ସାହି ଗାଁର ବିଲମାଳରେ ଥିବା ଏକ ନିମ ଗଛରୁ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ଶରୀରକୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ କରତୁଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ସେଠୀ (୪୨)। ଏ ନେଇ ପୋଲିସ କେସ୍ ନଂ ୧୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ଠାରୁ ପ୍ରକାଶ ପାଇଛି। ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଝାଡ଼ଭୂଇଁ ଗ୍ରାମରେ ପରିବାର ସହ ରହି ରାଜେନ୍ଦ୍ର କରତୁଲି ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ନିଜ ଗାଁ ପଙ୍କଳ ସାହିକୁ ବେଳେବେଳେ ବୁଲାବୁଲି କରିବାକୁ ଆସୁଥିଲେ। ତେବେ ବୁଧବାର ସକାଳେ ରାଜେନ୍ଦ୍ରଙ୍କ ମର ଶରୀର ତାଙ୍କର ପଙ୍କଳସାହି ଘର ବାରିପଟ ବିଲମାଳସ୍ଥ ଏକ ନିମଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା। ପୋଲିସ ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହି ଘଟଣାର ତଦନ୍ତ ଦାୟିତ୍ୱରେ ଏସଆଇ ରାଜ କୁମାର ମହାପାତ୍ର ରହିଥିବା ଜଣାପାଇଛି।

