ବୁଗୁଡ଼ା,୯/୫,(ଜନ ବାଣୀ): ୟୁନିସେଫ୍ର ସହଯୋଗରେ ଓଡ଼ିଶା ପୋଲିସ ପକ୍ଷରୁ ସାରା ରାଜ୍ୟର ପୋଲିସ ଥାନା ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଜୁଭେଣ୍ଟିକା ଆୟୋଜିତ ହୋଇଥିବା ପରିପ୍ରେକ୍ଷୀରେ ବୁଗୁଡ଼ା ଥାନା ପକ୍ଷରୁ ସ୍ୱପରିସରରେ ମଧ୍ୟ ଏହା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଚାଇଲ୍ଡ ଓ୍ୱେଲଫେୟର୍ ପୋଲିସ ଅଫିସର ଜ୍ୟୋତିଶ୍ରୀ ସାହୁ, ସିଡିପିଓ ବବିତା କୁମାରୀ ପଣ୍ଡା ଓ ସୁପରଭାଇଜର ଜି.ରଶ୍ମିଙ୍କ ସମେତ ବିଭିନ୍ନ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର କର୍ମୀ ଏବଂ କିଶୋରୀ ବାଳିକାମାନେ ଉପସ୍ଥିତ ରହିଥିଲେ। ଏ ଅବସରରେ ସାମାଜିକ ଗଣମାଧ୍ୟମର କୁପ୍ରଭାବରୁ ମୁକ୍ତ ରହିବା, ସାଇବର କ୍ରାଇମ ଫାଶରେ ନପଡ଼ିବା, କୌଣସି ସାମାଜିକ ସମସ୍ୟାରେ ସମ୍ମୁଖୀନ ହେଲେ କିଭଳି ଭାବେ ନିର୍ଭୟରେ ପୋଲିସର ସହଯୋଗ ଲୋଡ଼ିବା ଆଦି ସମ୍ପର୍କରେ ସଚେତନ କରାଯାଇଥିଲା। ଏଥ ସହ ଭିଡିଓ ମାଧ୍ୟମରେ ଏକ ସଚେତନତା ମୂଳକ କ୍ଷୁଦ୍ର କାହାଣୀ ପ୍ରଦର୍ଶିତ ହୋଇଥିଲା। ଅନ୍ୟପକ୍ଷରେ ଥାନାର ପୋଲିସ କର୍ମଚାରୀବୃନ୍ଦ ଉପସ୍ଥିତ ମହିଳାବର୍ଗଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନ ପ୍ରଦାନ ସାଙ୍ଗକୁ ସେମାନଙ୍କୁ ନିର୍ଭୀକତାରେ ଥାନା ପରିସର ବୁଲାଇ ଦେଖାଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୋଲିସ ଡିଜି ୱାଇ.ବି.ଖୁରାନିଆ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମହିଳା ଏସଆଇ ଜ୍ୟୋତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଏସଆଇ ସୁମନ୍ତ କୁମାର ବେହେରା, ବସନ୍ତ କୁମାର ସାହୁ, ଦିପକ ଦଳବେହେରା, ମିହିର ଭଞ୍ଜଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

