ଦେଖା ଦେଲାଣି ପାନୀୟ ଜଳ ସମସ୍ୟା ବାଘୂଆ ନଦୀରେ ନାହିଁ ପାଣି, ଜଳ ସଙ୍କଟରେ ସହରବାସୀ
ବୁଗୁଡ଼ା,୨୮/୦୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଜନସ୍ବାସ୍ଥ୍ୟ ବିଭାଗର ଯୋଜନା ବିହୀନ କାର୍ଯ୍ୟ ଯୋଗୁଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବର୍ଷର ପ୍ରାୟ ଅଧା ସମୟ ବାଘୁଆ ଜଳ ଭଣ୍ଡାର (ବାଘୁଆ ଡ୍ୟାମ) ଉପରେ ନିର୍ଭର କରିବାକୁ ପଡୁଛି। ପ୍ରତି ସପ୍ତାହରେ ବାଘୁଆ ଡ୍ୟାମରୁ ନଦୀକୁ ପାଣି ଛାଡିଲେ ହିଁ ସହରର ସମସ୍ତ ଅଞ୍ଚଳକୁ ଜଳ ଯୋଗାଣ ହେଉଛି। ବର୍ତ୍ତମାନ ବାଘୁଆ ଡ୍ୟାମକୁ ଯେତିକି ଜଳ ପ୍ରବେଶ କରୁଛି ସେତିକି ଜଳ ବାଷ୍ପୀୟ ଆକାରରେ ଉଡିଯାଉଛି। ଥରେ ପାଣି ଛାଡିଲେ ଡ୍ୟାମର ୫ ପ୍ରତିଶତ ପାଣି ସରୁଛି। ଫଳରେ ଡ୍ୟାମ କର୍ତ୍ତୃପକ୍ଷ ଲୋକଙ୍କୁ ପିଇବା ପାଇଁ ପାଣି ଛାଡିବେ କି ଚାଷୀଙ୍କ ଫସଲ ପାଇଁ କେନାଲ ଯୋଗେ ପାଣି ଛାଡିବେ ଦ୍ବନ୍ଦରେ ପଡୁଛନ୍ତି। ବାଘୁଆ ଜଳ ଭଣ୍ଡାରରେ ବର୍ତ୍ତମାନ ୮୨.୦୮ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଏଥିରୁ ରବି ଚାଷ ପାଇଁ ଚାଷୀଙ୍କୁ ଜଳ ଯୋଗାଣ ଚାଲିଛି। ବାଘୁଆ ନଦୀରେ ପାଣି ଶୁଖି ଯାଇଥିବାରୁ ଫେବୃଆରୀ ମାସର ପ୍ରଥମ ଦିନରୁ ହିଁ ବୁଗୁଡ଼ା ସହରକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇ ଜଳସଙ୍କଟ ଦେଖାଦେଲାଣି। ବାଘୁଆ ଜଳଭଣ୍ଡାରରୁ ନଦୀକୁ ପାଣି ଛଡ଼ାଯିବା ପରେ ପରିସ୍ଥିତିରେ ସୁଧାର ଆସିଛି।ବୁଗୁଡ଼ା ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ କାଦପଡ଼ାଠାରେ ଇନଟେକ୍ ୱେଲ ରହିଛି। ସେଠାରେ ୧୫ ଏଚ୍.ପି କ୍ଷମତା ବିଶିଷ୍ଟ ୨ଟି ମୋଟର ଲାଗିଛି। ଏଥିସହ ସହରର ଅର୍ଦ୍ଧାଧିକ ଅଞ୍ଚଳକୁ ପାଣି ଯୋଗାଉଛି। ତେବେ ନଦୀରେ ପାଣି ନ ଥିଲେ ସବୁ ଅଚଳ। କେବଳ ବାଘୁଆ ଡ୍ୟାମରୁ ପାଣି ଆସିଲେ ମଧ୍ୟ ଇନଟେକ୍ ୱେଲ ପାଖରେ ନଦୀରେ ପାଣି ରହିବା ପାଇଁ ଯେଉଁ ପଥର ବନ୍ଧ ତିଆରି ହୋଇଛି ତାହା ଠିକ୍ ଭାବେ ହୋଇ ନ ଥିବାରୁ ପଥର ଫାଙ୍କରେ ପାଣି ଲିକ୍ ହେଉଛି।ବୁଗୁଡ଼ା ସହର ପାଇଁ ପ୍ରତେହ ୩ ଲକ୍ଷ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛି। ବର୍ତ୍ତମାନ ଇନଟେକ୍ ୱେଲ ବ୍ୟତୀତ କାଦପଡ଼ାଠାରେ ୪ଟି ବୋରୱେଲ ରହିଛି। ପ୍ରତି ବୋରୱେଲରେ ୩ ଏଚ୍.ପି ମୋଟର ଲାଗିଛି। ଜଗତପାଟଣା ନିକଟସ୍ଥ ବାଘୁଆ ନଦୀ କୂଳରେ ୬ଟି ବୋରୱେଲ ଥିବା ବେଳେ ବଡ଼ଖଣ୍ଡିରେ ୩ଟି ବୋରୱେଲ କରାଯାଇଛି। ପାଣି ମଜୁଦ୍ ରଖିବାକୁ ବ୍ଲକସାହି, ଯାଦବ ସାହି, ବାଲିପିଟ୍ ସାହି ଓ ପ୍ରାଣୀ ଚିକିତ୍ସାଳୟ ପରିସରରେ ଓଭରହେଡ଼ ଟ୍ୟାଙ୍କ ସହ ହରିଶରଣପୁର ହଜକରେ ଏକ ପମ୍ପ ନିର୍ମାଣ ହୋଇଛି। କାଦପଡ଼ାରୁ ସିଧା ସଳଖ ପାଣି ତଳ ଓଡ଼ିଆ ସାହି, ପୋଲସରା ରୋଡ଼ ଆଦି ଅଞ୍ଚଳକୁ ଯାଉଛି। ଯାଦବ ସାହି, ବ୍ଲକ ସାହି ଓ ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ଓଭରହେଡ଼ ଟ୍ୟାଙ୍କ ମଧ୍ୟ କାଦପଡ଼ା ପମ୍ପ ହାଉସ ଉପରେ ନିର୍ଭର କରୁଛି।ବଡ଼ଶଙ୍କ ବୋର ୱେଲରୁ ସିଧାସଳଖ ମୁଖ୍ୟ ସଡ଼କକୁ ଜଳ ଯୋଗାଣ ହେଉଛି, ଯାହାକି ବିଦ୍ୟୁତ ନ ଥିଲେ ପାଣି ବନ୍ଦ ରହୁଛି। ଜଗଟପାଟଣାରେ ଥିବା ୬ଟି ବୋର ୱେଲ ଜରିଆରେ ହରିଶରଣପୁର ଛକରେ ଥିବା ସମ୍ପକୁ ପାଣି ଆସିବା ପରେ ସେଠାରୁ ଭରତ ପାଟଣା, ହରି ଶରଣବପୁର, କୃଷ୍ଣ ଶରଣପୁର, ବୀର ଧନଞ୍ଜୟପୁର ଆଦି ଅଞ୍ଚଳକୁ ଜଳ ଯୋଗାଣ ହେଉଛି। ବୁଗୁଡ଼ା ସହରର ମୁଖ୍ୟ ରାସ୍ତାର ପଶ୍ଚିମ ପଟେ ଥିବା ବାଲିପିଟ୍ ସାହି, ମହିମା ନଗର, ଶାନ୍ତି ନଗର ଆଦି ଅଞ୍ଚଳର ଲୋକେ ଅଧିକାଂଶ ସମୟରେ ଜଳ କଷ୍ଟ ଭୋଗୁଛନ୍ତି। ନୂତନ ଭାବେ ଗଢି ଉଠିଥିବା ଅଧିକାଂଶ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ।ଏ ସମ୍ପର୍କରେ ବାଘୁଆ ଜଳସେଚନ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ କୃଷ୍ଣ ଚନ୍ଦ୍ର ପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଜଳ ଯୋଗାଣ ସ୍ବାଭାବିକ ପାଇଁ ଯଦି ଜନସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କାଦପଡ଼ା ପମ୍ପ ହାଉସ ନିକଟରେ ଥିବା ବାଘୁଆ ନଦୀ ଉପରେ ଛୋଟ ଚେକ ଡ୍ୟାମଟିଏ ନିର୍ମାଣ କରିଥାନ୍ତେ ତେବେ ୧୫ ଦିନରେ ଥରେ ନଦୀରେ ପାଣି ଛାଡିଲେ ଚଳନ୍ତା। ତାହା ହୋଇ ନ ଥିବାରୁ ନିୟମିତ ପାଣି ଛାଡିବାକୁ ପଡୁଛି ବୋଲି ପାଳ କହିଛନ୍ତି। ଅନ୍ୟପକ୍ଷରେ ଫେବୃଆରୀ ଆରମ୍ଭରୁ ସହରରେ ଜଳସଙ୍କଟ ଦେଖା ଦେଇଥିବା ବେଳେ ଆଗକୁ ଅବସ୍ଥା ଆହୁରି ଜଟିଳ ହୋଇପଡିବ ଏହି ଆଶଙ୍କା ଉପୁଜିଛି।

